ମୁଁ ବଡ଼ ହେଲେ ସଚିନ ହେବି...

ମୁଁ ବଡ଼ ହେଲେ ସଚିନ ହେବି...

ମୁମ୍ବାଇ: ଜଣେ ଚମତ୍କାର ଓ କୁଞ୍ଚିତ କେଶ ରଖିଥିବା ୧୬ ବର୍ଷିୟ ବାଳକ ଯାହାର ଏଣ୍ଟ୍ରି ସେ ଜମାନାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଖୁବ୍‌ କମ୍‌ କଥାବାର୍ତ୍ତା କରୁଥିବା ପିଲାଟିଏ । ସେହି ୧୬ ବର୍ଷିଆର ପିଲାଟି ପରେ ସାଜିଲା କ୍ରିକେଟର ବାଦସା । ହାଫ୍‌ ସେଞ୍ଚୁରୀ ପୂରା କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର  । ୫୦ ବର୍ଷରେ ପାଦ ଥାପିଲେ ସଚିନ  । ୧୯୭୩ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ‘ଗଡ୍‌ ଅଫ୍‌ କ୍ରିକେଟ୍‌’  । ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ସଚିନ୍‌ ଯେ ଦିନେ କ୍ରିକେଟର ଭଗବାନ ପାଲଟି ଯିବେ, ଏକଥା କେହି କଳ୍ପନା ବି କରିନଥିଲେ  । ୨୪ ବର୍ଷ ଧରି କ୍ରିକେଟ୍‌ ଜୀବନ ମଧ୍ୟରେ ଅନେକ କୀର୍ତ୍ତିମାନ ତାଙ୍କ ନାମରେ ରହିଛି  । ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍‌ ସହିତ ଶତକ ଓ ଅର୍ଦ୍ଧଶତକରେ ବି ସେ ଆଗରେ ଅଛନ୍ତି  । ଅନ୍ତର୍ଜାତୀୟ କ୍ରିକେଟରେ ୩୪,୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି  ।

୧୯୯୦ରେ ସେ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ  । ୨୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ନଭେମ୍ବର ୨୦୧୩ରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିଲେ  । ୧୭ ବର୍ଷ ବୟସରେ ଅଞ୍ଜଳିଙ୍କ ପ୍ରେମରେ ପଡି ଯାଇଥିଲେ ସଚିନ  । ୧୯୯୦ରେ ମୁମ୍ବାଇ ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଅଞ୍ଜଳିଙ୍କୁ ଭେଟିଥିଲେ  । ୨୨ ବର୍ଷରେ ଅଞ୍ଜଳିଙ୍କୁ ବିବାହ କରିଥିଲେ  । ଦୁହିଁଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି  । ପୁଅ ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ପିତାଙ୍କ ପଥ ଅନୁସରଣ କରି କ୍ରିକେଟ୍‌ ଖେଳୁଛନ୍ତି  । ସଚିନଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି  । ଆଜି ଜନ୍ମ ଦିନରେ ସଚିନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।