ଓଜେଇଇ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ

ଓଜେଇଇ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ-୨୦୨୩) କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ହେବ । ଏନେଇ ପରୀକ୍ଷା କାର୍ୟ୍ୟସୂଚୀ ପ୍ରସ୍ତୁତ କରିଛନ୍ତି ଓଜେଇଇ କର୍ତ୍ତୃପକ୍ଷ । ମେ ୮ରୁ ୧୫ତାରିଖ ମଧ୍ୟରେ ୫ଦିନ ଧରି ହେବାକୁ ଥିବା ପରୀକ୍ଷା ପାଇଁ ପ୍ରତିଦିନ ୩ଟି ସିଫ୍ଟ କରାଯାଇଛି । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା । ଦ୍ୱିତୀୟ ସିଫ୍ଟ ସାଢ଼େ ୧୨ଟାରୁ ସାଢ଼େ ୨ଟା । ତୃତୀୟ ସିଫ୍ଟରେ ଅପରାହ୍ନ ସାଢ଼େ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ୟ୍ୟନ୍ତ ହେବ । ଏନେଇ ସମସ୍ତ ସୂଚନା ଓଜେଇଇ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି ।

ଆବେଦନକାରୀମାନେ ନିଜ ଆଡ୍‌ମିଟ୍‌ କାର୍ଡ ୱେବ୍‌ସାଇଟ୍‌ରୁ ଡାଉନଲୋଡ କରିପାରିବେ । ମେ ୮ତାରିଖରେ ତିନୋଟି ସିଫ୍ଟରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା), ମେ ୯ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ସିଏ, ଏମ୍‌ଏସ୍‌ସି (କମ୍ପ୍ୟୁଟର ସାଇନ୍ସ) ପାଇଁ ପରୀକ୍ଷା ହେବ । ତୃତୀୟ ସିଫ୍ଟରେ ଏମ୍‌ଟେକ୍‌ (୧୧ ବିଭାଗ ପାଇଁ), ଏମ୍‌ ଆର୍କ, ଏମ୍‌ପ୍ଲାନ୍‌, ଏମ୍‌ ଫାର୍ମା, ବି ସାଟ୍‌ ପାଇଁ ପ୍ରବେଶିକା ପରୀକ୍ଷା ହେବ । ୧୧ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ବିଏ ଏବଂ ତୃତୀୟ ସିଫ୍ଟରେ ଏଲ୍‌ଇ ଟେକ୍‌ (ବିଏସ୍‌ସି) ଓ ବି ସାଟ୍‌(ସିନେମା ଏଡିଟିଂ) ପାଇଁ ପରୀକ୍ଷା ହେବ । ୧୨ ତାରିଖରେ ସମସ୍ତ ସିଫ୍ଟରେ ବି ଫାର୍ମା ପାଇଁ ପରୀକ୍ଷା ହେବ । ୧୫ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା) ଏବଂ ଦ୍ୱିତୀୟ ସିଫ୍ଟରେ ଏଲ୍‌ଇ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପାଇଁ ପ୍ରବେଶିକା ପରୀକ୍ଷା ହେବ ।