ମହାପ୍ରସାଦ ହୋଇପାରେ ମହଙ୍ଗା
ପୁରୀ: ମହଙ୍ଗା ହେବ ମହାପ୍ରଭୁଙ୍କ ମହାପ୍ରସାଦ। ଦେଢ଼ରୁ ଦୁଇଗୁଣା ଦାମ୍ ବଢ଼ିଯାଇପାରେ। ଶ୍ରୀମନ୍ଦିରରେ କୁଡ଼ୁଆ ଦର ଅନୁସାରେ ଭକ୍ତମାନେ ମହାପ୍ରସାଦ କିଣୁଛନ୍ତି। ବାଇହାଣ୍ଡିରେ ୧୦ କେଜି ଚାଉଳ ରନ୍ଧା ହୁଏ। ସେହିଭଳି ଦୁଇ ଗଉଣିଆରେ ୮ କେଜି, ସମାଧିରେ ୭ରୁ ସାଢ଼େ ୭ କେଜି, ଦାସିଆରେ ସାଢ଼େ ୫ କେଜିରୁ ସାଢ଼େ ୬ କେଜି ଚାଉଳ ରନ୍ଧା ଯାଇଥାଏ। ସୁଆର ମହାସୁଆର ନିଯୋଗ ଯେଉଁ ଦର ତାଲିକା ଦେଇଛି, ସେଥିରେ ମହାପ୍ରସାଦର ତିନି ପ୍ରକାର ଥାଳି ବ୍ୟବସ୍ଥା କରାଯାଇଛି। ଅବଢ଼ା, ଡାଲି, ବେସର, ମହୁର, ଖଟା ଓ କାନିକା ଥାଳି ୧୨୦ ଟଙ୍କା ପ୍ରସ୍ତାବ ଦିଆଯାଇଛି।
ସେହିଭଳି ଅବଢ଼ା, ଡାଲି, ବେସର, ମହୁର, ଶାଗ, ଖଟା, କାନିକା ଓ ଖେଚୁଡ଼ି ଥାଳି ୧୫୦ ଟଙ୍କା ଓ ଅବଢ଼ା, ଡାଲି, ବେସର, ମହୁର, ଶାଗ, ଖଟା, ପୋଟଳ ରସା, କାବୁଲି ସୋଲା, କାନେକା, ଖେଚେଡ଼ି ଓ କ୍ଷୀରି ଥାଳି ୨ଶହ ଟଙ୍କା ରଖାଯାଇଛି। ଅନ୍ୟପକ୍ଷରେ ବାଇହାଣ୍ଡି ବାସୁମତି ଚାଉଳ ଅନ୍ନ ୨୫ଶହ ଟଙ୍କା ଓ ଜିରା ରାଇସ୍ ଅନ୍ନ ୧୩ଶହ ଟଙ୍କା କରିବା ଲାଗି ସୁପାରିସ ହୋଇଛି। ଏହାଭିନ୍ନ ବାସୁମତି ଦାସିଆ ୧୩ଶହ ଟଙ୍କା, ଜିରା ରାଇସ୍ ୧ହଜାର ଟଙ୍କା, କାନିକା ଅବା ଖେଚେଡ଼ି ୩ହଜାର ଟଙ୍କା ଦର ରଖାଯାଇଛି।
ବଡ଼ ମଠ ବାସୁମତି ୭ଶହ ଟଙ୍କା, ଜିରା ରାଇସ୍ ୫ଶହ ଟଙ୍କା, କାନିକା ଅବା ଖେଚୁଡ଼ି ୧୫ଶହ ଟଙ୍କା, ଧଳା ମଠ ବାସୁମତି ୬ଶହ ଟଙ୍କା, ଜିରା ରାଇସ୍ ୪ଶହ ଟଙ୍କା, କାନିକା ଅବା ଖେଚୁଡ଼ି ୧ହଜାର ଟଙ୍କା ରଖାଯାଇଛି। ସାନମଠ, ଚକା ନମ୍ବରି, ନମ୍ବରି, ଧଳା କୁଡ଼ିଆ, ବଡ଼ ଭାତ, ସାନ ଭାତ, ଚକ, ପଖାଳ ଓ ଅଙ୍ଗାଶ ଆଦିର ଦର ୪୦ ଟଙ୍କାରୁ ୭ଶହ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଦାସିଆ ଡାଲି ଦର ୨ହଜାର ଟଙ୍କା ଓ ତରକାରିର ଦର ୨ହଜାର ଟଙ୍କା, ବଡ଼ ମଠ ଡାଲି ଅବା ତରକାରୀ ଦର ୧ହଜାର ଟଙ୍କା, ଧଳା ମଠ ୮ଶହ ଟଙ୍କା, ସାନ ମଠ ୬ଶହ ଟଙ୍କା ରଖାଯାଇଛି। ଚକା ନମ୍ବରି, ନମ୍ବରି, ଧଳା କୁଡ଼ିଆ, ବଡ଼ ଭାତ, ସାନ ଭାତ, ଚକ, ପଖାଳ ଓ ଅଙ୍ଗାଶ ଆଦିର ଦର ୩୦ରୁ ୪ଶହ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି।




admin 