ପଠାନ୍‌କୋଟ୍‌ ‘ମା‌ଷ୍ଟର୍‌ମାଇଣ୍ଡ୍‌’ ଶାହିଦ୍‌ ଲତୀଫ୍‌ ନିହତ

ପଠାନ୍‌କୋଟ୍‌ ‘ମା‌ଷ୍ଟର୍‌ମାଇଣ୍ଡ୍‌’ ଶାହିଦ୍‌ ଲତୀଫ୍‌ ନିହତ

ସିଆଲ୍‌କୋଟ୍‌: ପଠାନ୍‌କୋଟ୍‌ ଆକ୍ରମଣର ‘ମା‌ଷ୍ଟର୍‌ମାଇଣ୍ଡ୍‌’ ତଥା ଭାରତର ସବୁଠୁ ବେଶୀ ଖୋଜାପଡ଼ିଥିବା ଅନ୍ୟତମ ଆତଙ୍କବାଦୀ ଶାହିଦ୍‌ ଲତୀଫ୍‌ଙ୍କୁ ଆଜି ପାକିସ୍ତାନର ସିଆଲ୍‌କୋଟ୍‌ରେ ଅଜ୍ଞାତ ଆତତାୟୀମାନେ ଗୁଳି ମାରି ହତ୍ୟା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

୪୧ ବର୍ଷିୟ ଲତୀଫ୍‌ ଥିଲେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ସଦସ୍ୟ ଏବଂ ୨୦୧୬ ଜାନୁଆରି ୨ ତାରିଖରେ କରାଯାଇଥିବା ପଠାନ୍‌କୋଟ୍‌ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ସିଆଲ୍‌କୋଟ୍‌ରେ ଥାଇ ଏହି ଆକ୍ରମଣ ବ୍ୟବସ୍ଥା କରିବା ସହିତ ଏହାକୁ କାର୍ୟ୍ୟକାରୀ କରିବା ନିମନ୍ତେ ‘ଜୈଶ୍‌-ଏ-ମହମ୍ମଦ୍‌’ର ୪ଜଣ ଆତଙ୍କବାଦୀଙ୍କୁ ପଠାନ୍‌କୋଟ୍‌ ପଠାଇଥିଲେ।

‘ପ୍ରିଭେନ୍‌ସନ୍‌ ଅଫ୍‌ ଅନ୍‌ଲଫୁଲ୍‌ ଆକ୍ଟ୍‌’ଦ୍ବାରା ୧୯୯୪ ନଭେମ୍ବର ମାସରେ ତାଙ୍କୁ ଭାରତରେ ଗିରଫ କରାଯାଇଥିଲା। ବିଚାର ପରେ ତାଙ୍କୁ କାରାଦଣ୍ଡ ଦିଆଯାଇଥିଲା। ଭାରତରେ ସଜ୍ଜା ଶେଷ ହେବା ପରେ ୨୦୧୦ ତାଙ୍କୁ ୱାଗା ସୀମାନ୍ତ ରାସ୍ତାରେ ପାକିସ୍ତାନକୁ ପ୍ରତ୍ୟର୍ପଣ କରାଯାଇଥିଲା।
୧୯୯୯ରେ ‘ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌’ର ଗୋଟାଏ ବିମାନ ଅପହରଣ କାଣ୍ଡରେ ମଧ୍ୟ ସେ ଅଭିଯୁକ୍ତ ଥିଲେ। ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ତଦନ୍ତରୁ ଜଣାପଡ଼ିଛି ୨୦୧୦ରେ ଜେଲ୍‌ରୁ ମୁକୁଳିବା ପରେ ଲତୀଫ୍‌ ପାକିସ୍ତାନର ଜିହାଦୀ କାରଖାନାକୁ ଯାଇଥିଲେ। ଭାରତ ସରକାର ତାଙ୍କୁ ତାଲିକାଭୁକ୍ତ ‘ୱାଣ୍ଟେଡ୍‌ ଟେରରିଷ୍ଟ୍‌’ ଘୋଷଣା କରିଥିଲେ।