କେବଳ ପଞ୍ଜୀକୃତ ହବିଷ୍ୟାଳୀ ରହି ପାରିବେ, ଅନ୍ୟଙ୍କ ପାଇଁ ଜାଗା ନାହିଁ
କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ଜମିଲାଣି ଭକ୍ତଙ୍କ ଭିଡ଼ । ଗୁରୁବାର ପୂର୍ଣ୍ଣିମା ଥିବାରୁ ଶୁକ୍ରବାର ଠାରୁ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ଏଥିପାଇଁ ଚଳଞ୍ଚଳ ଶ୍ରୀକ୍ଷେତ୍ର । ମାତ୍ର ଘରେ ନ ପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ । କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ରାସ୍ତାକୁ ଓହ୍ଲାଇଲେଣି ହବିଷ୍ୟାଳୀ। କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ରହଣି ସମେତ ସମସ୍ତ ପ୍ରକାର ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଘୋଷଣା ହୋଇଥିଲା। ଏଥିନିମନ୍ତେ ନିଜ ନାମ ଅନଲାଇନ୍ରେ ପଞ୍ଜୀକରଣ କରିବାକୁ ଗତ ୬ ତାରିଖରେ ଘୋଷଣା କରାଯାଇଥିଲା। ଏହି ପ୍ରକ୍ରିୟା ୫ ଦିନ ପର୍ୟ୍ୟନନ୍ତ ଅର୍ଥାତ ଗତ ୧୧ ତାରିଖ ପର୍ୟ୍ୟ ନ୍ତ ଚାଲିବ ବୋଲି କୁହାଯାଇଥିଲା। ମାତ୍ର କେବଳ ଗୋଟିଏ ଦିନ ପରେ ପୋର୍ଟାଲକୁ ବନ୍ଦ କରି ଦିଆଗଲା। ଫଳରେ ବହୁ ହବିଷ୍ୟାଳୀ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି। ଏପରି ସ୍ଥିତିରେ ସେମାନେ ପୁରୀରେ ପହଞ୍ଚିଥିବା ବେଳେ ସେମାନଙ୍କୁ ରହିବାକୁ ଜାଗା ଖଣ୍ଡେ ମିଳୁନି। ଖବର ପାଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଆନ୍ଦୋଳନରତ ହବିଷ୍ୟାଳୀଙ୍କୁ ବୁଝାସୁଝା କରିଛନ୍ତି । ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଥିବା ସୂଚନା ମିଳିଛି । ମାତ୍ର ଏହା ପରେ ବି ଆନ୍ଦୋଳନ ପ୍ରଶମିତ ହୋଇ ନ ଥିବା ଜଣାଯାଇଛି।
ହବିଷ୍ୟାଳୀ ଗୁରୁବାର ଠାରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କିନ୍ତୁ ଶୁକ୍ରବାର ଉପ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ଯୋଜନା ଉଦ୍ଘାଟନ କରିବେ । ହବିଷ୍ୟାଳୀମାନେ ନିର୍ଦ୍ଧାରିତ ୪ଟି ହବିଷ୍ୟାଳୀ କେନ୍ଦ୍ରରେ ରହିବେ । ବୃନ୍ଦାବତୀ ନିବାସ,ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହି ବ୍ରତ ପାଳନ କରିବେ। ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ,ପ୍ରବଚନ ଇତ୍ୟାଦିର ସୁବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ସହିତ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୁରକ୍ଷିତ ସ୍ନାନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ । ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସରକାରଙ୍କ ହବିଷ୍ୟାଳି ଯୋଜନାର କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳି ମାନଙ୍କ ବ୍ୟତିତ ଅନ୍ୟ ହବିଷ୍ୟାଳି ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।
ସେପଟେ ଯେଉଁ ହବିଷ୍ୟାଳୀମାନଙ୍କର ସରକାରୀ ପଂଜୀକରଣ ହୋଇନାହିଁ ସେମାନେ ଯେକୌଣସି ପରିସ୍ଥିତିରେ କାର୍ତ୍ତିକ ମାସରେ ପୁରୀରେ ରହିବେ ବୋଲି କହୁଥିବା ବେଳେ ଆଉ କିଛି କିନ୍ତୁ ନିରାଶ ହୋଇ ଘରକୁ ଫେରିବାକୁ ଗୋଡ଼ କାଢ଼ିଲେଣି ।




