ଆଶ୍ଚର୍ୟ୍ୟଜନକ ଘଟଣା; ପୁଲିସକୁ ବାନ୍ଧିଲା ପୁଲିସ

ମାଲକାନଗିରି: ଗଞ୍ଜେଇ ମାଫିଆଙ୍କ ସହ ମିଶି ଓଡ଼ିଶାରୁ ଗଞ୍ଜେଇ ଚାଲାଣ ଚୋରା କରୁଥିଲା ତେଲେଙ୍ଗାନା ପୁଲିସ। ଭାବିଥିଲା କେହି କିଛି ଜାଣିପାରିବେନି। ହେଲେ ପୁଲିସ ବାବୁଙ୍କ ସବୁ ଅଙ୍କ ଭୁଲ ହୋଇଯାଇଥିଲା। ଅଧାବାଟରେ ଓଡ଼ିଶା ପୁଲିସ ହାତରେ ଧରାପଡ଼ି ଯାଇଥିଲା ତେଲେଙ୍ଗାନା ପୁଲିସ ଓ ଗଞ୍ଜେଇ ମାଫିଆମାନେ। ଜଣେ ତେଲେଙ୍ଗାନା ପୁଲିସ ସହ ୬ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସ।
ଏଭଳି କିଛି ଆଶ୍ଚର୍ୟ୍ୟଜନକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । କମଳା ପଦର ଅଞ୍ଚଳ ଦେଇ ଦୁଇଟି ଦାମୀ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା କାଲିମେଳା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ବୁଧବାର ରାତିରେ କମଳା ପଦର ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ପୁଲିସ ଦୁଇଟି କାର୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଦୁଇଟି କାର୍ ଡିକିରୁ ୧୦୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ୨ଟିକାର୍ରେ ଥିବା ୭ଜଣଙ୍କୁ ଗିରଫ କରାଯାଇଥିଲା।। ଗିରଫ ପରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାପରେ ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୁଲିସ ବୋଲି ଜଣାପଡ଼ିଥିଲା।। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।