ଓଡ଼ିଶାରେ ଡାକ୍ତର ପଦବି ଖାଲି

କଟକ: ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ନିୟମିତ ବିଜ୍ଞପ୍ତି ପ୍ରକାଶ ପାଉଛି। କିନ୍ତୁ ପଦବି ସଂଖ୍ୟାର ଅଧା ବି ଆବେଦନ ମିଳୁନାହିଁ। ଫଳରେ ଡାକ୍ତର ପଦବି ଖାଲି ପଡ଼ୁଛି। ହାଇକୋର୍ଟରେ ଆଜି ଏଭଳି ସତ୍ୟପାଠ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମେଡିକାଲ ଅଫିସର (ଜୁନିୟର ବ୍ରାଞ୍ଚ) ପଦ ନିଯୁକ୍ତି ମାମଲାରେ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମସଚିବ ସୁଧାଂଶୁ ଶେଖର ପଣ୍ଡା ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ମାଧ୍ୟମରେ ଖାଲି ପଡ଼ିଥିବା ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଯେତିକି ମେଡିକାଲ ଅଫିସର ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଉଛି ତାର ୫୦ ପ୍ରତିଶତ ପଦ ବି ପୂରଣ ହୋଇ ପାରୁନାହିଁ।
୨୦୧୮ ଡିସେମ୍ବର ୧୪ରେ ୧୯୫୦ ମେଡିକାଲ ଅଫିସର ପଦ ପୂରଣ ପାଇଁ ଓପିଏସ୍ସିକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଥିଲା। ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ୯୩୮ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ସ୍ବାସ୍ଥ ବିଭାଗ ପ୍ରଦାନ କରିଥିଲା। ସେହିଭଳି ୨୦୧୯, ଅକ୍ଟୋବର ୨୮ରେ ୩୨୭୮ ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓପିଏସ୍ସିକୁ କହିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ୧୪୦୩ଜଣ ପ୍ରାର୍ଥୀଙ୍କୁ ନିଯୁ୍କ୍ତିପତ୍ର ପ୍ରଦାନ କରାଯାଇଥିଲା। ୨୦୨୧ ଜାନୁଆରି ୧୮ରେ ୨୪୫୨ ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କହିଥିଲା। ଓପିଏସ୍ସି ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପରେ ମାତ୍ର ୭୬୩ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ୨୦୨୧ ଜୁନ ୧୧ରେ ଅନୁସୂଚିତ ଜାତି ଓ ଜନଜାତି (ଏସସି, ଏସଟି) ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ୧୫୮୬ ମେଡିକାଲ ଅଫିସର ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓପିଏସସିକୁ ଚିଠି ଲେଖା ଯାଇଥିଲା। ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ମାତ୍ର ୮୧ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା।
୨୦୨୧ ଅକ୍ଟୋବର ୭ରେ ୧୮୭୧ ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓପିଏସସିକୁ କହିଥିଲା। କିନ୍ତୁ ୩୫୮ ଜଣ ପ୍ରର୍ଥୀଙ୍କୁ ଶେଷରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ୨୦୨୨ ନଭେମ୍ବର ୨୩ରେ ୩୪୮୧ ମେଡିକାଲ ଅଫିସର ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓପିଏସସିକୁ ଚିଠି ଲେଖିଥିଲା। ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ଓପିଏସସି ଅନୁମୋଦନରେ ମାତ୍ର ୧୨୦୨ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ସ୍ବାସ୍ଥ୍ୟ ବିଭାଗ ପ୍ରଦାନ କରିଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ୨୦୨୩ ଅଗଷ୍ଟ ୧୧ରେ ଓପିଏସସି ତରଫରୁ ୭୨୭୬ ମେଡିକାଲ ଅଫିସର ପଦ ପୂରଣ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାତ୍ର ୩୧୪୧ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ଅବଶିଷ୍ଟ ଖାଲି ପଦବି ପୂରଣ ସଂପର୍କିତ ସମୟସୀମା ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଅକ୍ଟୋବର ୬ରେ ନିର୍ଦ୍ଦେଶ ଦେଇଥିଲେ।