ପୂଜା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ଜାଣନ୍ତୁ କ’ଣ

ପୂଜା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ଜାଣନ୍ତୁ କ’ଣ

ଭୁବନେଶ୍ୱର: ଏ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର  ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ପୂଜା କମିଟିଠାରୁ ଗ୍ରାଉଣ୍ଡ ରେଣ୍ଟ୍‌ ଆଦାୟ କରାଯିବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଏମ୍‌ସିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପୂଜା କମିଟି ଓ ସ୍ଥାନୀୟ  ବିଧାୟକ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏବେଠାରୁ  ସହରରେ ପାର୍ବଣ ଋତୁ ଆରମ୍ଭ ହୋଇଛି । ତେଣୁ ଗଣେଶ ପୂଜାଠାରୁ ଆରମ୍ଭ କରି  ଅନ୍ୟ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ  ଦାବିପତ୍ର ମାଧ୍ୟମରେ ଜଣାଇଥିଲେ । ଜନପ୍ରତିନିଧି ଓ ଲୋକଙ୍କ ସାଂସ୍କୃତିକ ଓ  ଆଧ୍ୟାତ୍ମିକ ଭାବନାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି  ବୋଲି ସରକାର ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଫଳରେ ଏଣିକି  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁରେ ସରକାରୀ ଜାଗାରେ  ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି  ଗ୍ରାଉଣ୍ଡ ରେଣ୍ଟ୍‌ ଆଦାୟ କରାଯିବନି । ଆଗାମୀ ଦିନରେ ଗଣେଶ ପୂଜା, ଦୂର୍ଗା  ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହେବ । ଏ ସବୁ  ପୂଜା ପାଇଁ ବିଏମ୍‌ସି କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରିବନି ।