ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ
ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।
ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ୟ୍ୟ କରାଯିବ । କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ ।