ଆଜି ଜାତୀୟ ଆଇନ ସେବା ଦିବସ

ଆଜି ଜାତୀୟ ଆଇନ ସେବା ଦିବସ

ଆଜି ଆମ ଦେଶରେ ‘ଜାତୀୟ ଆଇନ ସେବା ଦିବସ’ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୧୯୯୫ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଗୃହୀତ ହୋଇଥିଲା। ସେହି ଦିବସକୁ ସ୍ମରଣୀୟ କରିବା ସହ ଦେଶବାସୀଙ୍କ ମଧ୍ୟରେ ଆଇନ ସଚେତନତାର ପ୍ରସାର ପାଇଁ ସେବେଠାରୁ ପ୍ରତି ବର୍ଷ ଏ ଦିବସ ପାଳିତ ହୋଇଆସୁଛି। ଦେଶର ଯେ କୌଣସି ନାଗରିକ ଯେ କୌଣସି ପୃଷ୍ଠଭୂମିରୁ ଆସିଥା’ନ୍ତୁ ନା କାହିଁକି, ତାଙ୍କର ପରିଚୟ ଯାହା ହେଉ ନା କାହିଁକି, ପ୍ରତ୍ୟେକଙ୍କୁ ମାଗଣା ଆଇନ ସେବା ସହାୟତା ମିଳିପାରିବ ବୋଲି ଏହି ଦିବସ ସମସ୍ତଙ୍କୁ ମନେ ପକାଇ ଦେଇଥାଏ।

ବିଶେଷ କରି ଦଳିତ, ମହିଳା, ଭିନ୍ନକ୍ଷମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଠାରେ ଅନେକ ସମୟରେ ଆଇନଗତ ସଚେତନତା ନଥିବା ଦେଖିବାକୁ ମିଳିଥାଏ। ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ଓ ମାଗଣା ଆଇନ ସେବା ସମ୍ପର୍କରେ ଅବଗତ କରାଯାଇଥାଏ। ଏହି ଦିବସ ପାଳନ ପୂର୍ବକ ବିଭିନ୍ନ ସ୍ଥାନରେ ଲୋକ ଅଦାଲତ ଆୟୋଜନ ମାଧ୍ୟମରେ ପଡ଼ିରହିଥିବା ମାମଲାଗୁଡ଼ିକର ଆଶୁ ସମାଧାନ, ନ୍ୟାୟିକ ପ୍ରକ୍ରିୟା ବାବଦରେ ସଚେତନତାର ପ୍ରସାର, ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଏବଂ ଆଇନ ସହାୟତା ଶିବିର କରି ବିପନ୍ନଙ୍କ ପାଖରେ ସିଧାସଳଖ ସହାୟତା ପହଞ୍ଚାଯାଉଛି। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି- ସମସ୍ତଙ୍କ ପାଇଁ ନ୍ୟାୟ: ଆଇନ ସଚେତନତା ମାଧ୍ୟମରେ ନିଷ୍ପେଷିତ ଶ୍ରେଣୀର ସଶକ୍ତୀକରଣ।