ନିର୍ବାଚନୀ କାର୍ଯ୍ୟରେ ଯାଇଥିବା ୨ଟି ବୋଲେରୋ ଗାଡି ଫେରିନି, ଚିନ୍ତାରେ ଗାଡି ମାଲିକ

ନିର୍ବାଚନୀ କାର୍ଯ୍ୟରେ ଯାଇଥିବା ୨ଟି ବୋଲେରୋ ଗାଡି ଫେରିନି, ଚିନ୍ତାରେ ଗାଡି ମାଲିକ

ନିର୍ବାଚନୀ କାର୍ଯ୍ୟରେ  ଯାଇଥିବା ୨ଟି ବୋଲେରୋ ଗାଡି ଫେରିନି, ଚିନ୍ତାରେ ଗାଡି ମାଲିକ
କନ୍ଧମାଳ : ଭୋଟ ଗ୍ରହଣ ପାଇଁ ପୁଲିଂ ପାର୍ଟିକୁ ନେଇ ଯାଇଥିବା ୨ଟି ବୋଲେରୋ ଗାଡି ଭୋଟ ଗ୍ରହଣ ଶେଷ ହେବାର ୪ ଦିନ ବିତି ଯାଇଥିଲେ ବି ଫେରିପାରିନି । ମାଓବାଦୀମାନେ ରାସ୍ତାରେ ଗଛ କାଟି ପକାଇବାସହିତ ଲ୍ୟାଣ୍ଡମାଇନ ବିଛାଇଥିବାରୁ ପୋଲିସ ମଧ୍ୟ ସେଠାକୁ ଯାଉନାହିଁ ଫଳରେ ଭୟରେ ପୁଲିଂ ପାର୍ଟିର କର୍ମଚାରୀମାନେ ଗାଡି ଛାଡି ଚାଲି ଚାଲି ଫେରି ଆସିଥିଲେ । ଗାଡି ଫେରି ପାରୁନଥିବାରୁ ଗାଡିମାଲିକ ଏବେ ଚିନ୍ତାରେ ରହିଛନ୍ତି । ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅନ୍ତର୍ଗତ ବାହାରଲା ଠାରେ ହୋଇଥିବା ବୁଥକୁ ୨ଟି ବୋଲେରୋ ଗାଡିରେ ପୁଲିଙ୍ଗ କର୍ମଚାରୀମାନେ ଗତ ୧୭ ତାରିଖରେ ଯାଇଥିଲେ । ଯିବାବେଳେ ସେମାନେ ସେଠାରେ କୌଣସି ଅସୁବିଧା ବିନା ପହଂଚି ଯାଇଥିଲେ । ତେବେ ସେମାନେ ପହଂଚିବାର ୪ ଘଂଟା ପରେ ସେହି ବୁଥକୁ ଚେକିଂ କରିବାକୁ ଯାଉଥିବା ସେକ୍ଟର ଟିମର ଗାଡି ଉପରେ ଆକ୍ରମଣ କରିଥିଲେ ମାଓବାଦୀ । ସେମାନେ ପ୍ରଥମେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବାପରେ ସେଥିରେ ବିଫଳ ହେବାରୁ ଗାଡି ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଗାଡିରେ ବସିଥିବା ମହିଳା ଜିଆରଏସ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସେହି ରାସ୍ତାରେ ବଡ ବଡ ଗଛ କାଟି ପକାଇ ରାସ୍ତା ଅବରୋଧ କରିଥିଲେ ମାଓବାଦୀ । ଭୋଟ ଗ୍ରହଣ ପରେ ମାଓବାଦୀଙ୍କ ଭୟରେ ସମସ୍ତ ପୁଲିଂ କର୍ମଚାରୀ ଗାଡିରେ ନଆସି ଏସଓଜି ଯୱାନଙ୍କ କଡା ସୁରକ୍ଷାରେ ଚାଲି ଚାଲି ଫେରିଥିଲେ । ଗାଡି ଦୁଇଟି ବାରାହଲାରେ ସେହିପରି ଆଜି ପର୍ଯ୍ୟନ୍ତ ପଡି ରହିଛି । ଆସିବା ରାସ୍ତାରେ ଗଛକଟା ଯାଇ ଅବୋରଧ କରାଯାଇଥିବା ସହ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଏକ କଲଭର୍ଟ ଭାଙ୍ଗି ଯାଇ ଥିବାରୁ ଗାଡି ଦୁଇଟି ଆସିପାରୁନାହିଁ । ଗାଡି ମାଲିକ ଅମରଜିତ ପଣ୍ଡା ନିର୍ବାଚନ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କୁ ଗାଡି ଦୁଇଟି ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ଦୁଇ ଦିନ ଭିତରେ ଗାଡି ଫେରାଇ ଆଣିବାର ବ୍ୟବସ୍ଥା କରିବେ ବୋଲି ଉପଜିଲ୍ଲାପାଳ ଗାଡି ମାଲିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ୪ ଦିନ ପରେ ମଧ୍ୟ ଗାଡି ଫେରାଇ ଆଣିବାର କୌଣସି ବ୍ୟବସ୍ଥା ପ୍ରଶାସନ କରୁନାହିଁ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଗାଡି ମାଲିକଙ୍କ ଅଭିଯୋଗ ସମ୍ପର୍କରେ ଉପଜିଲ୍ଲାପାଳ ସୂଚାରୁ ବଳଙ୍କ ସହ ଯୋଗାଯୋଗ କରିବାରେ ସେ ପୋଲିସ ସହାୟତାରେ ଗାଡି ଦୁଇଟି ଫେରାଇ ଆଣିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।