ମନ ପବିତ୍ର କରେ ପ୍ରାତଃସ୍ନାନ

ମନ ପବିତ୍ର କରେ ପ୍ରାତଃସ୍ନାନ

ଆମ ଶରୀର ନବଦ୍ୱାର ବିଶିଷ୍ଟ । ଦୁଇ ଆଖି, ଦୁଇ କାନ, ଦୁଇ ନାସାରନ୍ଧ୍ର, ମୁଖଗହ୍ୱର, ପାୟୁ (ମଳଦ୍ୱାର) ଏବଂ ଉପସ୍ଥ (ଜନନେନ୍ଦ୍ରିୟ) ହେଉଛି ଏହି ନବଦ୍ୱାର । ସ୍ମୃତିଶାସ୍ତ୍ର ‘ଦକ୍ଷସ୍ମୃତି’ରେ ଏହାକୁ ‘ନବଛିଦ୍ରବିଶିଷ୍ଟ କାୟା’ କୁହାଯାଇଛି । ଏହା ମଧ୍ୟ କୁହାଯାଇଛି- ଆମ ଶରୀରର ଏହି ନବ ଛିଦ୍ର ଦେଇ ଅହରହ ମଳ ନିଷ୍କାସିତ ହେଉଥାଏ । ଏହା ମଧ୍ୟ ବିଜ୍ଞାନ-ସମର୍ଥିତ । ଏହି ନଅ ମୁଖ୍ୟ ଦ୍ୱାର ବ୍ୟତୀତ, ଅସଂଖ୍ୟ ଲୋମକୂପ ଦେଇ ମଧ୍ୟ, ଶରୀରରୁ ସର୍ବଦା ମଳ ନିଷ୍କାସିତ ହୋଇଥାଏ । ଏଥିପାଇଁ ଆମର ଏହି ଶରୀରକୁ ‘ଦକ୍ଷସ୍ମୃତି’ରେ “ଅତ୍ୟନ୍ତ ମଳିନ କାୟା” ବୋଲି ମଧ୍ୟ କୁହାଯାଇଛି । ଏହି ଅତ୍ୟନ୍ତ ମଳିନ ଶରୀରକୁ ଶୁଦ୍ଧ କରିବା ପାଇଁ, ଶାସ୍ତ୍ରଗ୍ରନ୍ଥମାନଙ୍କରେ ପ୍ରାତଃସ୍ନାନକୁ ମହତ୍ୱ ଦିଆଯାଇଛି ।

କୁହାଯାଇଛି, ପ୍ରାତଃସ୍ନାନ ଫଳରେ, ଏହି ମଳପୂର୍ଣ୍ଣ ଶରୀର ଶୁଦ୍ଧ ହୁଏ । ମନୁଷ୍ୟ ଶୁଦ୍ଧ ହୋଇ ଜପ, ପୂଜା-ପାଠ ଆଦି କରିବା ନିମନ୍ତେ ଯୋଗ୍ୟ ହୁଏ । ଏହା ଆମର ପ୍ରାତଃହିକ ବା ନିତିଦିନିଆ କର୍ମ । କିନ୍ତୁ ଏହି ସ୍ନାନ ଶୁଦ୍ଧଜଳରେ କରିବା ହିଁ ବାଂଛନୀୟ । ସେଥିପାଇଁ ଶୁଦ୍ଧ ତୀର୍ଥଜଳରେ ସ୍ନାନର ବିଧାନ ଶାସ୍ତ୍ରଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ଅଛି । ‘ଦକ୍ଷସ୍ମୃତି’ରେ କୁହାଯାଇଛି, ପ୍ରାତଃସ୍ନାନ ପରେ ଜପ ଆଦି ମହତ୍ କର୍ମ କରୁଥିବା ବ୍ୟକ୍ତି ଶରୀର ଓ ଆତ୍ମା ଉଭୟରେ ଶୁଦ୍ଧ ହୋଇଥାନ୍ତି । ଏହି କାରଣରୁ କାର୍ତ୍ତିକ ମାସରେ ପ୍ରାତଃସ୍ନାନ ଓ ଈଶ୍ୱର ଅର୍ଚ୍ଚନକୁ ବିଶେଷ ମହତ୍ୱ୍ୱ ଦିଆଯାଇଥାଏ ।