ତେଲେଙ୍ଗାନାରେ ଏକ କିଲୋ ପ୍ଲାଷ୍ଟିକ ବଦଳରେ ଏକ କିଲୋ ଚାଉଳ

ତେଲେଙ୍ଗାନାରେ ଏକ କିଲୋ ପ୍ଲାଷ୍ଟିକ ବଦଳରେ ଏକ କିଲୋ ଚାଉଳ

ତେଲେଙ୍ଗାନାରେ ଏକ କିଲୋ ପ୍ଲାଷ୍ଟିକ ବଦଳରେ ଏକ କିଲୋ ଚାଉଳ
ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଏକ କିଲୋଗ୍ରାମ ଓଜନର ପ୍ଲାଷ୍ଟିକ ଆବର୍ଜନା ଦାଖଲ କଲେ, ସରକାରଙ୍କ ପକ୍ଷରୁ ଦିଆଯାଉଛି ଏକ କିଲୋଗ୍ରାମ ଚାଉଳ । ମୁଲୁଗୁ ଜିଲ୍ଲାର ୧୭୪ ଟି ଗ୍ରାମରେ ଏଥିପାଇଁ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି । ଯିଏ ଚାହିଁବେ, ସେଗୁଡ଼ିକରେ ପ୍ଲାଷ୍ଟିକ ଆବର୍ଜନା ଦେଇ, ବଦଳରେ ଚାଉଳ ନେଇପାରିବେ । ପ୍ଲାଷ୍ଟିକ ଆବର୍ଜନାର ଅର୍ଥ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ଯଥା: ଚାମଚ, ଜରି, ଗିଲାସ, ଷ୍ଟ୍ର । ପ୍ରଦୂଷଣ ବିରୋଧରେ ଏହି ଅଭିଯାନ ଦଶ ଦିନ ଚାଲିବ । ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବ । ୨୦୨୦ ସୁଦ୍ଧା ମୁଲୁଗୁକୁ ପ୍ଲାଷ୍ଟିକ ମୁକ୍ତ କରିବା, ଏହି ଅଭିଯାନର ଲକ୍ଷ୍ୟ । ଏହି ଯୋଜନା ଆରମ୍ଭ ହେବାର ପ୍ରଥମ ଦିନରେ ହିଁ ୨୪୦୦ କିଲୋଗ୍ରାମ ପ୍ଲାଷ୍ଟିକୁ ଆବର୍ଜନା ମିଳିଥିଲା । ଯାହାକୁ ସଙ୍ଗେ ସଙ୍ଗେ ନଷ୍ଟ କରିଦିଆଯାଇଥିଲା । ଦଶ ଦିନରେ ପଚାଶ ଟନ୍ ପ୍ଲାଷ୍ଟିକ ସଂଗ୍ରହ ହେବ ବୋଲି ଆଶା କରାଯାଉଛି । ସେଗୁଡ଼ିକ ନଷ୍ଟ କରାଯିବା ବା ପୁନଃ ପ୍ରକି୍ରୟାକରଣ ନିମନ୍ତେ ପଠାଯିବ । ମୁଲୁଗୁ ଜିଲ୍ଲାରେ ଅନେକ ମନ୍ଦିର ଓ ପାହାଡ଼ ପର୍ବତ ରହିଥିବାରୁ ବର୍ଷ ତମାମ ପର୍ଯ୍ୟଟକ ଆସନ୍ତି । ସେମାନଙ୍କ ଯୋଗୁଁ ପ୍ଲାଷ୍ଟିକ ପ୍ରଦୂଷଣ ବଢ଼ୁଛି । ତେବେ, ଥରେ ସ୍ଥାନୀୟ ଲୋକେ ସଚେତନ ହେଲେ, ପ୍ରଦୂଷଣ କମିବ, ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ପଦକ୍ଷେପ । ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସମର୍ଥନ ମିଳୁଛି । ପ୍ଲାଷ୍ଟିକ ଦାଖଲ କରୁଥିବା ଲୋକଙ୍କୁ ଚାଉଳ ଦେବା ପାଇଁ ଲୋଡ଼ା ଅର୍ଥ । ଏଥିପାଇଁ କିଛି ଲୋକ ସ୍ୱେଚ୍ଛାକୃତ ଭାବେ ଚାଉଳ ଓ ଟଙ୍କା ଦାନ ଆକାରରେ ଦେଉଛନ୍ତି । ଅର୍ଥାତ ଜନତା ଓ ସରକାରର ମିଳିତ ଉଦ୍ୟମରେ ଏହି ମହତ କାର୍ଯ୍ୟ ଚାଲିଛି ।