ବଜ୍ରପାତରେ ଚାଲିଗଲା ୩ ଜୀବନ
ଢେଙ୍କାନାଳ: ବଜ୍ରପାତ ନେଲା ୩ ଜୀବନ। ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପ୍ରାୟ ୪ ଜଣ। ଢେଙ୍କାନାଳରେ ଅଚାନକ କାଳବୈଶାଖୀ କରିଥିବା ମହାତାଣ୍ଡବର ଏଭଳି କରୁଣ ସ୍ଥିତି ଦେଖିବାକୁ ମିଳିଛି। ସୂଚନା ମୁତାବକ, ମଇଁଷି ଚଳାଇବାକୁ ଯାଇଥିବା ବେଳେ ସଦର ଥାନା ନରଣପୁର ଗ୍ରାମର ପ୍ରକାଶ ବେହେରା ଓ ବାଟୁଆ ବେହେରାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି।
ସେହିପରି ଗଁନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ ଡାଗରା ପଲ୍ଲୀସାହିରେ ଏକ ସ୍କୁଲ ପିଣ୍ଢାରେ ଆଶ୍ରୟ ନେଇଥିବା ୫ ଜଣ ଲୋକଙ୍କ ଉପରେ ବଜ୍ରପାତ ହୋଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପହଞ୍ଚିବା ବେଳକୁ ସେମାନଙ୍କ ମଧ୍ୟରୁ ଡଗରାପଲ୍ଲୀର ଜଗତା ଦେହୁରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଉକ୍ତ ଗ୍ରାମର ଗୌରାଙ୍ଗ ଦେହୁରୀ, ଶରତ ଦେହୁରୀ, ଜଗା ବେହେରା ଓ ଯାଆନ୍ଦାପଶି ଗ୍ରାମର ଶ୍ରୀପତି ଦେହୁରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।




admin 