ଆହୁରି ୩ ଦିନ ଜାରି ରହିବ ତାତି ଲହର
ଭୁବନେଶ୍ୱର: ତାତିରୁ ମିଳିବନି ଆଶ୍ୱସ୍ତି। ଆହୁରି ୩ ଦିନ ତାତି ଲହର ଜାରି ରହିବ । ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୭ ଡିଗ୍ରୀ ଉପରେ ରହିବା ଆଶଙ୍କା ଅଛି । ପଶ୍ଚିମ ଓଡ଼ିଶା ୪୪-୪୬ ଡିଗ୍ରୀ ତାତିରେ ଜଳୁଛି । ଭୁବନେଶ୍ୱର ବି ୪୪ ଡିଗ୍ରୀରେ ଭାଜି ହୋଇଗଲାଣି । ରାଜ୍ୟରେ ଚଳିତବର୍ଷ ସବୁଠାରୁ ଲମ୍ବା ଗ୍ରୀଷ୍ମ ଲହରି ଅନୁଭୂତ ହେଉଛି । ଆହୁରି ୩ ଦିନ ପର୍ୟ୍ୟନ୍ତ ସ୍ଥିତି ବଦଳିବା ଆଶା କମ୍
ଶନିବାର ଅସମ୍ଭାଳ ହୋଇପଡ଼ିଥିଲା ତାତି ପ୍ରକୋପ । ଭୁବନେଶ୍ୱର ତାପମାତ୍ରା ୪୪.୩ ଡିଗ୍ରୀରେ ପହଞ୍ଚିଥିଲା । ଫଳରେ ଛଟପଟ ହୋଇଗଲେ ଲୋକେ । ସକାଳୁ ଆରମ୍ଭ ହୋଇଗଲା ଗରମ । ଦିନ ବଢ଼ିବା ସହ ଖରାର କୋପ ବଢ଼ି ଚାଲିଲା । ସକାଳ ୮.୩୦ରେ ତାପମାତ୍ରା ସିଧା ୩୫ ଡିଗ୍ରୀ ପାର । ଦିନ ସାଢେ ୧୧ଟା ବେଳକୁ ତାପମାତ୍ରା ୪୨.୨ । ପଦାକୁ ବାହାରିଲେ ଯେମିତି ଆକାଶରୁ ନିଆଁ ବର୍ଷୁଥିଲା । ଖରା ଦାଉରୁ ରକ୍ଷା ପାଇବାକୁ ଛାଇ ଖୋଜି ବୁଲୁଥିଲେ ଭୁବନେଶ୍ୱରବାସୀ । ରାଜଧାନୀର ସବୁ ବଡ଼ ମାର୍କେଟ ୟୁନିଟ-୧ ଓ ୟୁନିଟ-୨ ଦିନ ୧୨ଟା ବେଳକୁ ଖାଁ ଖାଁ ଲାଗୁଥିଲା । ୟୁନିଟ-୪, ଆଇଡି ମାର୍କେଟ, ଡମଣା ହାଟ ଭଳି ମାର୍କେଟରେ ବି ଭିଡ଼ ନଥିଲା ।
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଯାତ୍ରୀମାନେ ଖରା ପ୍ରକୋପରେ କଲବଲ ହୋଇଥିଲେ । ବସଷ୍ଟାଣ୍ଡ କାମ ଚାଲିଥିବାରୁ ପୁରୁଣା ଯାତ୍ରୀ ବିଶ୍ରାମଗାର ଭାଙ୍ଗି ଦିଆଯାଇଛି । ବସ୍କୁ ଅପେକ୍ଷା କରିଥିବା ଯାତ୍ରୀ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଛନ୍ତି । ଅସହ୍ୟ ଖରାରେ ଦୀର୍ଘ ସମୟ ବସ୍କୁ ଅପେକ୍ଷା କରି ରହିଥିଲେ । କିଏ ଗଛ ଛାଇ ଟିକିଏ ଦେଖି ମୁଣ୍ଡ ଗୁଞ୍ଜିଥିଲା ତ କିଏ ପୁଣି କିଏ ମୁଣ୍ଡରେ ରୁମାଲ, କପଡ଼ା ବାନ୍ଧି ଖରାରେ ବସ୍କୁ ଅପେକ୍ଷା କରି ରହିଥାଏ । କ୍ୟାପିଟାଲ ହସ୍ପିଟାଲରେ ଡହଡହ ଗରମରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ହିନସ୍ତା ଭୋଗିଛନ୍ତି । ସେହିପରି ଟ୍ରାଫିକ ପୁଲିସ୍, ବୁଲା ବିକାଳି ମାନେ ଗରମରେ ଛଟପଟ ହୋଇଥିଲେ । ସନ୍ଧ୍ୟା ପର୍ୟ୍ୟନ୍ତ ତାତି କମିନଥିଲା । ରାତିରେ ବି ସେଭଳି ଗୁଳୁଗୁଳିରୁ ନିସ୍ତାର ନଥିଲା ।




admin 