ସର୍ବବୃହତ ଐତିହାସିକ ମହାମେଳା କଟକ ବାଲିଯାତ୍ରା ଉଦ୍ଘାଟିତ
କଟକ: ଆଜି ସଂଧ୍ୟାରୁ ଆରମ୍ଭ ହୋଇଛି ରାଜ୍ୟର ସର୍ବବୃହତ ଐତିହାସିକ ମହାମେଳା କଟକ ବାଲିଯାତ୍ରା। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହୋତ୍ସବରେ ୧୨ଶହରୁ ଅଧିକ ଷ୍ଟଲ ରହିଥିବା ବେଳେ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମୁ ଉଦ୍ଘାଟନ କରି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ଯେ ବାଲିଯାତ୍ରା ଓଡ଼ିଆ ଜାତିର ଐତିହ୍ୟ, ଗର୍ବ, ଗୌରବ ତଥା ନୌବାଣିଜ୍ୟ ପରମ୍ପରାର ପ୍ରତୀକ। କଟକ ସହରର ଭାଇଚାରା ସାରା ଦେଶରେ ଅନନ୍ୟ। ଏହି ବାଲିଯାତ୍ରା ଆମ କଳା, ସଂସ୍କୃତି, ପରମ୍ପରାକୁ ସୁରକ୍ଷା କରିବା ସହି ରାଜ୍ୟର ଅର୍ଥନୀତିକୁ ଅଧିକ ସମୃଦ୍ଧ କରିବାରେ ସହାୟକ ହୋଇ ଆସୁଛି। କଟକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ନରହରି ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟବକ୍ତା ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ କହିଲେ ଯେ, ବାଲିଯାତ୍ରାରେ ଆମ ରାଜ୍ୟରେ ଯେତେ ଅଧିକ ଦ୍ରବ୍ୟ ବିକ୍ରି ହେବ, ତାହା ଆମ ଅର୍ଥନୀତି ପାଇଁ ଅନୁକୂଳ।
ବାଲିଯାତ୍ରାର ଜାତୀୟ ମାନ୍ୟତା ପାଇଁ ଯେତିକି ଉଦ୍ୟମ ହେବା କଥା, ତାହା ହୋଇନାହିଁ। କିନ୍ତୁ ଗତବର୍ଷ ବାଲି ଦ୍ବୀପରେ ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରା ସଂପର୍କରେ ଯାହା କହିଲେ, ତାହା ଜାତୀୟ ମାନ୍ୟତା ଠାରୁ କମ୍ ନୁହେଁ ବୋଲି ଶ୍ରୀ ମହତାବ କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ ଯେ ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ଏହା ଆମ ପ୍ରଗତିର ପ୍ରତିଛବି। ଅନ୍ୟତମ ଅତିଥି ଭାବେ ମେୟର ସୁବାସ ଚନ୍ଦ୍ର ସିଂହ କହିଲେ ଯେ ପୂର୍ବରୁ ବାଲିଯାତ୍ରା ୪୫ଏକର ଜମିରେ ସୀମିତ ରହିଥିବା ବେଳେ ଗତବର୍ଷଠାରୁ ଏହାର ପରିସୀମା ୧୫୦ଏକରକୁ ବୃଦ୍ଧି ପାଇଛି। ଏହା ଏସିଆ ମହାଦେଶର ଅନ୍ୟତମ ବୃହତ୍ତମ ମେଳା। ୨୦୧୯ରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ୨୦୨୨ରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ୮ଜଣ ସାଂସଦ ସମର୍ଥନ କରିଥିଲେ।




admin 