ହେମନ୍ତଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

ପୁଣିଥରେ ଅଡୁଆରେ ହେମନ୍ତ ସୋରେନ । ହେମନ୍ତଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି। ତେବେ ଝାଡଖଣ୍ଡ ହାଇକୋର୍ଟ ପକ୍ଷରୁ ସୋରେନଙ୍କୁ ମିଳିଥିବା ଜାମିନ ବେଆଇନ୍ ବୋଲି ଇଡି ପକ୍ଷରୁ କୁହାଯାଇଛି। ହେମନ୍ତ ସୋରେନଙ୍କ ବିରୋଧରେ ହୋଇଥିବା ମାମଲାରେ ସତ୍ୟତା ନ ଥିବା ଦର୍ଶାଇ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ।
ମାତ୍ର ହାଇକୋର୍ଟଙ୍କ ରାୟରେ ତ୍ରୁଟି ଥିବା ଦର୍ଶାଇ ଏହା ବିରୋଧରେ ଇଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ସୂଚନା ମୁତାବକ,ଜାନୁଆରୀ ୩୧ରେ ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାରଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଫେବୃଆରୀ ୨ରେ ଶପଥ ନେଇଥିଲେ।କିନ୍ତୁ ୫ ମାସ ପରେ ହେମନ୍ତ ଜେଲରୁ ମୁକୁଳିବାରୁ ଚମ୍ପାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ଥିବାରୁ ରାଜ୍ୟପାଳ ରାଧାକ୍ରିଷ୍ଣନନ ଗତ ୪ ତାରିଖରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ।ଏହାପରେ ଗତକାଲି ଆସ୍ଥା ଭୋଟରେ ସେ ବହୁମତ ସାବ୍ୟସ୍ତ କରି ସାରିଛନ୍ତି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତୁଟିନି ହେମନ୍ତଙ୍କ ଅଡୁଆ।