ମୃତ୍ୟୁର ୨ ଦିନ ପରେ ବି ଗାଁକୁ ଆସିପାରୁନି ଓଡ଼ିଆ ଯୁବକଙ୍କ ଶବ : ତାମିଲନାଡୁ

ମୃତ୍ୟୁର ୨ ଦିନ ପରେ ବି ଗାଁକୁ ଆସିପାରୁନି ଓଡ଼ିଆ ଯୁବକଙ୍କ ଶବ : ତାମିଲନାଡୁ

ବେତନଟୀ ସଦର: ଗାଁରେ କାମଧନ୍ଦା ମିଳିଲାନି। ବୁଢ଼ା ବାପାମା, ଗର୍ଭବତୀ ପତ୍ନୀ ଓ ୨ ବର୍ଷର ଶିଶୁପୁତ୍ର ପେଟକୁ ଦାନା ଯୋଗାଡ଼ ପାଇଁ ସୁଦୂର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ମୁକ୍ତାପୁର ପଞ୍ଚାୟତ ଛୋଟରାୟପୁର ଗ୍ରାମର ନରେଶ ବେହେରା (୨୯)। ସେଠାରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ହେଲେ ପୁଅର ଶବ ଘରକୁ ଆଣିବା ପାଇଁ ବି ପରିବାର ଲୋକଙ୍କ ପାଖରେ ସମ୍ବଳ ନାହିଁ। ଛୋଟରାୟପୁର ଗ୍ରାମର ମନୋରଞ୍ଜନ ବେହେରାଙ୍କ ପୁଅ ନରେଶ ଆଜିକୁ ୬ ମାସ ହେଲା ତାମିଲନାଡୁ ଡିଣ୍ଡିଗୁଲ ଜିଲ୍ଲା କୋଡାଇକେନାଲ ଥାନା ଅଞ୍ଚଳର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ବୁଧବାର ଦିନ ଦେହ ସାମାନ୍ୟ ଅସୁସ୍ଥ ଥିବା ସଂପର୍କରେ ବାପାଙ୍କୁ ଫୋନ୍‌ରେ ଜଣାଇଥିଲେ।

ଶନିବାର ଦିନ ହଠାତ ତାଙ୍କର ମୃତ୍ୟୁ ଘଟିଥିବା କୋଡାଇକେନାଲ ଥ‌ାନାରୁ ଘରକୁ ଫୋନ୍‌ ଆସିଥିଲା। ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା। ତେବେ ପୁଅ ମୃତ୍ୟୁର ଦୁଃଖକୁ ବଳିଯାଇଛି ଶବ ଆଣିବାର ଯାତନା। ନରେଶ କାମ କରୁଥିବା କମ୍ପାନି କର୍ତ୍ତୃପକ୍ଷ ଧରାଛୁଆଁ ଦେଉନଥିବା ବେଳେ ଦୂର ରାଜ୍ୟରୁ କେମିତି ଶବ ଘରକୁ ଆଣିବେ ବୋଲି ପରିବାର ଲୋକଙ୍କୁ କିଛି ବୁଦ୍ଧିବାଟ ଦିଶୁନି। ଏପଟେ ସ୍ବାମୀଙ୍କୁ ହରାଇ ୬ ମାସର ଗର୍ଭବତୀ ଥିବା ପତ୍ନୀ ନିଜ ଶିଶୁପୁତ୍ରକୁ କୋଳରେ ଯାକି ୨ ଦିନ ହେଲା ଖାଇବା ପିଇବା ଛାଡ଼ି ଦେଲେଣି।