ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକ ବିରୋଧରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏତଲା

କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ନେତା ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପରେ ଜନତାଙ୍କୁ ସିଧା ସଳଖ ଭେଟିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି। ଜଣେ ଆଦିବାସୀ ନେତା ଭାବରେ କେନ୍ଦୁଝରର ଚାରି ଚାରି ଥର ବିଧାୟକ ହେବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାଜିଛନ୍ତି ମୋହନ ମାଝୀ। ଓଡ଼ିଶାବାସୀ ନିଜ ମୁଖ୍ୟମନ୍ତ୍ରୀ ଙ୍କୁ ନେଇ ବେଶ୍ ଖୁସି ଥିବା ବେଳେ କିଛି ଅସାମାଜିକ ଗୋଷ୍ଠୀ ମୂଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିବା ଦେଖିବାକୁ ମିଳୁଛି। କିଏ ମୁଖ୍ୟମନ୍ତ୍ରୀ ଙ୍କ ଜାତିକୁ ନେଇ କଥା କହୁଛି ତ କିଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କଟାକ୍ଷ କରୁଛି। କିନ୍ତୁ ଜଣେ ଆଦିବାସୀ ଯୁବକ ଚତୁର୍ଥ ଥର ପାଇଁ ବିଧାୟକ ହେବା ସହିତ ବିଜେଡ଼ି ସରକାର ସମୟରେ ବିରୋଧୀ ଦଳର ମୁଖ୍ୟ ସଚେତକ ସହିତ ପିଏସି କମିଟି ଅଧ୍ୟକ୍ଷ ଭଳି ଗୁରୁ ଦାୟିତ୍ବ ତୁଲାଇବା ଏବଂ ମୁଖ୍ୟମନ୍ତ୍ରୀ ହେବା ଆଦିବାସୀ ସମାଜ ପାଇଁ ଗର୍ବର ବିଷୟ ସାଜିଛି। କିନ୍ତୁ ମିଷ୍ଟର ବେବଫା ନାମରେ ଇଁଷ୍ଠାଗ୍ରାମ୍ ର ଆଇ ଡି ଧାରୀ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ଙ୍କୁ ଜାତିଆଣ ଆକ୍ଷେପ ଲଗେଇ ଜୀବନରେ ମାରି ଦେବାର ଭିଡ଼ିଓ କରି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଧମକ ଦେବା ରାଜ୍ୟରେ ଚର୍ଚ୍ଚାର ବିଷୟ ବନିଛି। ଏହି ଘଟଣାକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସବୀର ଦାଶ ଙ୍କ ନେତୃତ୍ୱରେ ଏକ ଟିମ୍ ଆଜି କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବା ସହିତ ସାଇବର ଥାନାରେ ଉକ୍ତ ଯୁବକ ନାମରେ ଲିଖିତ ଏତଲା ଦେଇଛନ୍ତି। ଦୋଷୀକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଯୁବମୋର୍ଚ୍ଚା କେନ୍ଦୁଝର ନିବେଦନ କରିଛି।