ଶୈବପୀଠରେ ଜଳଲାଗି କରିବା ନେଇ କାଉଡ଼ିଆଙ୍କ ଉତ୍କଣ୍ଡା

ଶୈବପୀଠରେ ଜଳଲାଗି କରିବା ନେଇ କାଉଡ଼ିଆଙ୍କ ଉତ୍କଣ୍ଡା

ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ଶୈବପୀଠରେ ଜଳଲାଗି କରିବା ନେଇ କାଉଡ଼ିଆଙ୍କ ମନରେ ଢ଼େର ଉତ୍କଣ୍ଡା ଓ ଉତ୍ସାହ ପରିଲକ୍ଷିତ ହୋଇଛି । ଦ୍ୱିତୀୟ ସୋମବାରରେ ଆଠଗଡ଼ ସ୍ଥିତ ସର୍ପେଶ୍ୱର ପୀଠରେ ଜଳଲାଗି କରିବା ପାଇଁ ରବିବାର ସନ୍ଧ୍ୟା ୫ଟା ସମୟରେ ଚହଟା ଘାଟରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ପାଣି ନେଇ ପୀଠ ଅଭିମୁଖେ ବାହାରିଛନ୍ତି ବିଡ଼ାନାସୀ କୁମ୍ଭାରସାହି ଠାରେ ଥିବା ତ୍ରିନାଥ ଯୁବକ କାଉଡ଼ିଆ ସଂଘର ସଦସ୍ୟ ମାନେ । ସଂଘର ୫ଶହ ସଦସ୍ୟ ୫୦ ଫୁଟ୍‌ ଲମ୍ବ ଓ ୮ଫୁଟ୍‌ ଉଚ୍ଚତା ବିଶିଷ୍ଟ ଶିବଧନୁ ଆକୃତିର ବାହୁଙ୍ଗୀ ନେଇ ବୋଲବମ୍‌ ଯାତ୍ରାରେ ବାହାରିଛନ୍ତି । ଏହି ବାହୁଙ୍ଗୀ ତିଆରି କରିବା ପାଇଁ ସଂଘର ସଦସ୍ୟ ମାନଙ୍କୁ ଏକ ସପ୍ତାହ ସମୟ ଲାଗିଛି । ଏଥିପାଇଁ ୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ବାଉଁଶ ଓ କାଠରେ ତିଆରି ହୋଇଥିବା ବାହୁଙ୍ଗୀକୁ ସୋଲ ଓ ରଙ୍ଗୀନ ଫୁଲରେ ସୁସଜ୍ଜିତ କରାଯାଇଛି । ବାହୁଙ୍ଗୀରେ ୧୦ କେଜିର ଘଣ୍ଟି ଲଗାଯିବା ସହ ୪୦ ଲିଟର କ୍ଷୀର ଓ ୨୦ ଲିଟର ଜଳ ନେଇ ସଂଘର ସଦସ୍ୟ ମାନେ ଜଳାଭିଷେକ କରିବେ । ଏହି ୫୦ ଫୁଟ୍‌ ଲମ୍ବର ବାହୁଙ୍ଗୀ ଓ କାଉଡ଼ିଆ ମାନଙ୍କୁ ଦେଖିବା ପାଇଁ ଚହଟା ଘାଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ଏନେଇ ସଂଘର ଯୁଗ୍ମ ସମ୍ପାଦକ ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି, ସଂଘ ପକ୍ଷରୁ ଆଜିକୁ ୧୮ ବର୍ଷ ହେବ ମହାଦେବଙ୍କ ନିକଟରେ ଜଳଲାଗି କରାଯାଉଛି । କଟକ ଭାଇଚାରାର ବାର୍ତ୍ତା ବାଣ୍ଟିବା ନେଇ ଏପରି ଏକଜୁଟ ହୋଇ ଜଳଲାଗି କରିବାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହାସହ ଗ୍ରାମର ସମସ୍ତ ସଦସ୍ୟ ଓ ସମାଜର ଉନ୍ନତି ସହ ସମସ୍ତଙ୍କ ମଙ୍ଗଳ କାମନା କରି ସର୍ପେଶ୍ୱର ମହାଦେବଙ୍କୁ ଜଳାଭିଷେକ କରାଯାଉଥିବା ନେଇ ବେହେରା କହିଛନ୍ତି ।