ଷଡ଼ଯନ୍ତ୍ର : ବିଜୟଙ୍କ ପରେ ବୈଜୟନ୍ତଙ୍କ ପାଳି
ଷଡ଼ଯନ୍ତ୍ର : ବିଜୟଙ୍କ ପରେ ବୈଜୟନ୍ତଙ୍କ ପାଳି
admin
May 14, 2019 - 11:37
Updated: May 14, 2019 - 11:37
ଭୁବନେଶ୍ୱର : ବିଜେଡ଼ି ଓ ବିଜେପିର ମିଳିତ ଚକ୍ରାନ୍ତରେ ଏକଦା ବିଜୟ ମହାପାତ୍ର ବଳି ପଡ଼ିଯାଇଥିଲେ । ୨୦୦୦ ମସିହାରେ କେବଳ ନବୀନ ପଟ୍ଟନାୟକଯେ, ଏକାକୀ ବିଜୟଙ୍କ ଚେର କାଟିଦେଲେ ତାହା ନୁହେଁ ବରଂ ବିଜୟଙ୍କ ଅନେକ ଘନିଷ୍ଠ ପୁରୁଣା ଜନତା ଦଳର ନେତା ଓ ସର୍ବୋପରି ବିଜେପି ନେତାମାନଙ୍କର ମଧ୍ୟ ହାତ ରହିଥିଲା । ଚକ୍ରାନ୍ତ ଓ ଷଡ଼ଯନ୍ତ୍ରର ଷଣ୍ଢୁଆସୀ ଆକ୍ରମଣରେ ବିଜୟ ସେହିଦିନଠାରୁ ଏମିତି ଆକ୍ତାମାକ୍ତା ହୋଇ ଯାଇଛନ୍ତିଯେ, ଏଯାଏଁ ଅଂଟା ସଳଖି ଠିଆ ହୋଇପାରିନାହାନ୍ତି । ବିଜୟ ମହାପାତ୍ରଙ୍କ ବିରୋଧରେ ବିଜେଡ଼ି ଓ ବିଜେପି ନେତାଙ୍କ ଷଡ଼ଯନ୍ତ୍ର ସଫଳ ହୋଇଥିବାବେଳେ ଏବେ ସେହି ଷଡ଼ଯନ୍ତ୍ରରେ ବୈଜୟନ୍ତ ପଣ୍ଡା ଛନ୍ଦି ହୋଇଯିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ବିଜୟ ମହାପାତ୍ର କେବଳ ବିଜେଡ଼ି ପାଇଁ ନୁହେଁ ବିଜେପି ପାଇଁ ମଧ୍ୟ ବିପଦଜନକ ଥିଲେ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତକôାଳୀନ ବିଜେପି ନେତାମାନେ ଅନୁମାନ କରିଥିଲେ । ସେତେବେଳେ ମେଂଟ ଗଣିତରେ ବିଜେଡ଼ି ପାଇଁ ଅଧିକରୁ ଅଧିକ ଆସନ ଦାବି କରିଥିଲେ ବିଜୟ । ସେହିପରି ବିଜୟ ମଧ୍ୟ ଭବିଷ୍ୟତରେ ନବୀନଙ୍କ ପାଇଁ ବିପଦଜନକ ହେବେବୋଲି ଦଳ ଭିତରର କେତେକ ନେତାଙ୍କ ସହ ବିଜେପି ନେତାମାନେ ମଧ୍ୟ ନବୀନଙ୍କୁ ବୁଝାଇ ଦେଇଥିଲେ । ଯାହାର ଫଳସ୍ୱରୂପ ବିଜୟଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଥିଲା । ଅପ୍ରତ୍ୟାଶିତ ଭାବେ ତାଙ୍କର ଟିକେଟ କଟାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ସେତେବେଳେ ବିଜୟଙ୍କ ସହଯୋଗୀ ଥିବା ନଳିନୀ ମହାନ୍ତିଙ୍କ ଠାରୁ ନେଇ ଅନେକ ନେତା ପଦୁଟିଏ ବି ମୁହଁ ଖୋଲିନଥିଲେ । ଅପରପକ୍ଷରେ ମେଂଟ ଭୁକ୍ତ ବିଜେପି ନେତାମାନେ ମଧ୍ୟ ଚୁପ ରହିଥିଲେ । ଅର୍ଥାତ୍ ଏହା ଉଭୟ ଦଳର ସୁପରିକଳ୍ପିତ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ ।
ଏବେ ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ ସମାନ ଷଡ଼ଯନ୍ତ୍ର ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ । କାହିଁକିନା ୨୦୦୦ ମସିହା ବେଳେ ବିଜୟ ଯେମିତି ଉଭୟ ନବୀନ ପଟ୍ଟନାୟକ ଓ ବିଜେପି ପାଇଁ ଚିନ୍ତାର କାରଣ ହୋଇଥିଲେ ଏହାର ପ୍ରାୟ ଦୁଇ ଦଶନ୍ଧି ପରେ ବୈଜୟନ୍ତ ମଧ୍ୟ ସମାନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ‘ଉଭୟ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଡ଼ୁଆ ବଢ଼ାଇବେ ବୈଜୟନ୍ତ ।’ ଏହା ରାଜ୍ୟ ରାଜନୀତିକୁ ଅତି ନିକଟରୁ ଦେଖୁଥିବା ସମସ୍ତ ନେତା ଓ ରାଜନୈତିକ ସମୀକ୍ଷକମାନଙ୍କ ମତ । ନବୀନଙ୍କର ଅନେକ ରାଜନୀତିକ ଗୋଟିଚାଳନା ଭିତରୁ ଗୋଟିଏ ଗୋଟି ହେଲା, ତାଙ୍କୁ ଚ୍ୟାଲେଞ୍ଜ ଦେଇଥିବା କୌଣସି ନେତାଙ୍କ ଶିରି ସେ ଦେଖିପାରନ୍ତି ନାହିଁ । ସମସ୍ତ ଶକ୍ତି ଲଗାଇ ତାଙ୍କୁ ଚ୍ୟାଲେଞ୍ଜ ଦେଇଥିବା ବ୍ୟକ୍ତିଙ୍କୁ ସେ ମାତ ଦେଇଥା’ନ୍ତି । ଯାହାର ପ୍ରତିଫଳନ ଗତ ଦୁଇ ଦଶନ୍ଧି ଧରି ବିଜୟ ମହାପାତ୍ର ଭୋଗି ଆସୁଛନ୍ତି । ଏବେ ତାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବୈଜୟନ୍ତ । ତେବେ ସମ୍ପ୍ରତି ବୈଜୟନ୍ତଙ୍କ ସ୍ଥିତି ଏମିତିଯେ, ନବୀନ ଏକା ଚାହିଁଲେ ତାଙ୍କର କିଛି କ୍ଷତି କରିପାରିବେ ନାହିଁ । କାହିଁକିନା ବିଜେପିର ଟାଣୁଆ ନେତାଙ୍କ ଗୁଡ଼ବୁକରେ ବୈଜୟନ୍ତ ସ୍ଥାନୀତ ହୋଇପାରିଛନ୍ତି ।
ସର୍ବଶେଷ ଚର୍ଚ୍ଚା ଅନୁଯାୟୀ, ବୈଜୟନ୍ତଙ୍କୁ ମାତ ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବୀନ ହାତ ମିଳାଇବେ । ଏମିତିକି ବୈଜୟନ୍ତ ମଧ୍ୟ ନବୀନଙ୍କ ତୁଳନାରେ ଧର୍ମେନ୍ଦ୍ରଙ୍କ ପାଇଁ ଭବିଷ୍ୟତରେ କଂଟା ସାଜିବେ ବୋଲି କୁହାଯାଉଛି । ୨୦୧୯ ପରେ ନବୀନ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଧାରଣା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି । ଚଳିତ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ସେତେଟା ନଥିଲେ ମଧ୍ୟ ୨୦2୪ରେ କିନ୍ତୁ ନିଶ୍ଚିତ ବିଜୟର ବାସ୍ନା ଏବେଠାରୁ ବାରି ହୋଇଯାଇଛି । ତେଣୁ ଧର୍ମେନ୍ଦ୍ର ମଧ୍ୟ ନିଜ ବାଟରେ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଅପରପକ୍ଷରେ ୨୦୧୯ରେ ଝୁଲା ଲୋକସଭା ଗଠନ ହେବାର ଥିବାରୁ ବିଜେପି ପାଇଁ ବିଜେଡ଼ିର ସହଯୋଗ ଆବଶ୍ୟକ ହୋଇପାରେ । ଫଳରେ ଧିରେଧିରେ ନବୀନ ଓ ମୋଦି ପାଖାପାଖି ହେଉଥିବା ଲକ୍ଷ୍ୟ କରାଯାଉଛି । ଏଭଳି ସ୍ଥିତିରେ ଉଭୟ ନବୀନ ଓ ଧର୍ମେନ୍ଦ୍ର ହାତ ମିଳାଇ ବୈଜୟନ୍ତଙ୍କୁ ପାନେ ଦେବାପାଇଁ ଯଦି ଯୋଜନା କରନ୍ତି ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ । ଆଗାମୀ ଦିନରେ ରାଜ୍ୟ ରାଜନୀତି କେଉଁ ମୋଡ଼ ନେବ ମେ’ ୨୩ ପରେ ହିଁ ତାର ଦିଗ ନିର୍ଦ୍ଧାରଣ ହେବବୋଲି କୁହାଯାଇପାରେ ।