ସାଂସଦଙ୍କୁ କି ମନ୍ତ୍ର ଦେଲେ ନବୀନ
ସାଂସଦଙ୍କୁ କି ମନ୍ତ୍ର ଦେଲେ ନବୀନ
admin
Jul 14, 2019 - 15:13
Updated: Jul 14, 2019 - 15:13
ଭୁବନେଶ୍ୱର : ସାଂସଦ ଭାବରେ ଆପଣ ସଫଳ ହୁଅନ୍ତୁ ଏବଂ ଓଡ଼ିଶାର ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୁଅନ୍ତୁ ଏହା ହିଁ କାମନା କରୁଛି । ସାଂସଦମାନଙ୍କୁ ହୋମୱାର୍କ ଦେଇ ଏହା କହିଛନ୍ତି ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକ ।
ସାଂସଦମାନଙ୍କୁ ବିଜେଡ଼ି ସଭାପତି ଶ୍ରୀ ପଟ୍ଟନାୟକ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ଜନତା ଦଳର ପ୍ରାର୍ଥୀ ଭାବରେ ସପ୍ତଦଶ ଲୋକସଭା ତଥା ରାଜ୍ୟସଭାର ସଦସ୍ୟ ଭାବରେ ଓଡ଼ିଶାରୁ ନିର୍ବାଚିତ ହୋଇ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବାରୁ ଆପଣଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ।
ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ଓଡ଼ିଶାର ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ ଆମର ନିରନ୍ତର ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଜଣାଇ ରାଜ୍ୟବାସୀ ଆମକୁ ଲଗାତାର ପଂଚମ ଥର ସେବା କରିବାର ସୁଯୋଗ ଦେବା ସହିତ ଲୋକସଭାରେ ମଧ୍ୟ ବିଜୁ ଜନତା ଦଳକୁ ସର୍ବାଧିକ ଆସନରେ ବିଜୟୀ କରାଇଛନ୍ତି । ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଏବେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ସର୍ବାଧିକ ।
ନିର୍ବାଚନ ପରେ ପରେ ମୁଁ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ସହିତ ମତ ବିନିମୟ କରିଥିଲି । ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକୁ ସଂସଦରେ ଉତ୍ଥାପନ କରିବା ପାଇଁ ଆପଣଙ୍କର ଆଗ୍ରହ ଓ ପ୍ରତିବଦ୍ଧତା ମୋତେ ଆନନ୍ଦିତ କରିଛି ।
ଗତ ଲୋକସଭା ନିର୍ବାଚନରେ ଆମେ ପ୍ରଥମ ଥର ପାଇଁ ଏକ ତୃତୀୟାଂଶ ଆସନରେ ମହିଳାମାନଙ୍କୁ ପ୍ରାର୍ଥୀ କରିବା ପାଇଁ ଏକ ଦୃଢ଼ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରିଥିଲେ । ରାଜ୍ୟବାସୀ ମଧ୍ୟ ଏହି ନିଷ୍ପତ୍ତିକୁ ବିପୁଳ ସମର୍ଥନ ଦେଇ ଆମ ପାଇଁ ଐତିହାସିକ ସଫଳତା ଆଣିଦେଲେ । ଚଳିତ ଲୋକସଭାରେ ଆମ ମହିଳା ସାଂସଦମାନେ ସେମାନଙ୍କ ପ୍ରଥମ ପଦାର୍ପଣରେ ଓଡ଼ିଶାବାସୀଙ୍କର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଯେଭଳି ଉତ୍ଥାପନ କଲେ, ତାହା ମୋତେ ବେଶ୍ ପ୍ରଭାବିତ କରିଛି ।
ଏଥରର ଲୋକସଭା ଏବଂ ରାଜ୍ୟସଭାରେ ନବାଗତ ଏବଂ ଅଭିଜ୍ଞ ସଦସ୍ୟମାନଙ୍କର ଏକ ସୁନ୍ଦର ସନ୍ତୁଳନ ରହିଛି ଯାହାର ରାଜ୍ୟର ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ୱାର୍ଥ ସହିତ ରାଜ୍ୟର ସାମଗ୍ରିକ କଲ୍ୟାଣ ଏବଂ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ପାଇଁ ସମାଧାନ ଖୋଜିବାରେ ବେଶ୍ ଦକ୍ଷତାର ସହିତ କାର୍ଯ୍ୟ କରିପାରିବ । ଉଭୟ ଗୃହରେ ଦଳ ତରଫରୁ ଆପଣମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି ଏବଂ ଲୋକସଭା ତଥା ରାଜ୍ୟସଭାରେ ଆପଣମାନଙ୍କୁ ବିଭିନ୍ନ ପଦପଦବୀରେ ମଧ୍ୟ ନିଯୁକ୍ତି ଦିଆଯାଇଛି । ସାଂସଦ ତଥା ପଦାଧିକାରୀ ଭାବରେ ନିଜ ଦାୟିତ୍ୱ ନିର୍ବାହ, ବିଭିନ୍ନ ପ୍ରସଙ୍ଗ ସଂସଦରେ ଉପସ୍ଥାପନ ସହିତ ଆପଣ ନିଜ ଅଂଚଳ ଗସ୍ତ କରି ଅଂଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ କିଭଳି ଉଦ୍ୟମ କରୁଛନ୍ତି, ସେ ସମ୍ପର୍କରେ ଅଗଷ୍ଟ ମାସରୁ ଆରମ୍ଭ କରି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ଲିଖିତାକାରରେ ମୋତେ ଅବଗତ କରାଇବେ । ମୁଁ ଏହାର ନିୟମିତ ସମୀକ୍ଷା କରିବା ସହିତ ଆପଣମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବି ଏବଂ ଆମେ କିଭଳି କାର୍ଯ୍ୟ କଲେ ରାଜ୍ୟର ସ୍ୱାର୍ଥ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କରିପାରିବା ସେ ଦିଗରେ ମୋର ନିର୍ଦ୍ଧିଷ୍ଟ ମତାମତ ରଖିବି ।