ତାମିଲନାଡ଼ୁରେ ସିବିଆଇ ସହମତି ନିୟମ ପ୍ରତ୍ୟାହାର
ନୂଆଦିଲ୍ଲୀ: ତାମିଲନାଡ଼ୁରେ ସିବିଆଇକୁ ଝଟ୍କା। ସିବିଆଇ ସହ ଥିବା ସାଧାରଣ ସହମତି ନିୟମକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏଣିକି ବିନା ଅନୁମତିରେ ସିବିଆଇ ତାମିଲନାଡୁରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ। ତଦନ୍ତ ପାଇଁ ପ୍ରଥମେ ସିବିଆଇକୁ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ।
ଏହାପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ। ଏବେ ଏଥିରେ ତାମିଲନାଡୁ ଯୋଡ଼ି ହୋଇଛି।
କେନ୍ଦ୍ରରେ କ୍ଷମତାସୀନ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ବ୍ୟବହାର ରାଜନୀତିକ ଆକ୍ରୋଶ ରଖି କରୁଥିବାରୁ ରାଜ୍ୟଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ମନି ଲଣ୍ଡରିଂ ମାମଲାରେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ମନ୍ତ୍ରୀ ଥିବା ସେନଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା।ଏହାକୁ ନେଇ ରାଜନୀତିକ ଆରୋପପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ଗିରଫଦାରୀ ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଡିଏମକେ ଅଭିଯୋଗ କରିଥିଲା। ବିବାଦ ବଢ଼ୁଥିବା ବେଳେ ତାମିଲନାଡୁ ସରକାର ସିବିଆଇ ତଦନ୍ତକୁ ନେଇ ରହିଥିବା ସାଧାରଣ ସହମତି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି।




user2 