ଚଣା ବିକୁଥିଲେ ଭୀମସେନ ଚୌଧୁରୀ

ଦିନେ ହାଟରେ ସେ ଚଣା ବିକୁଥିଲେ । କେବେ ଟ୍ରକ ଚଳାଉଥିଲେ ତ କେବେ ଖଲାସୀ କାମ ବି କରୁଥିଲେ । କିନ୍ତୁ ପରେ ତାଙ୍କ ଭାଗ୍ୟ ଚମକି ଉଠିଥିଲା । ରାଜଯୋଗ ଥିବାରୁ ବିଧାୟକ ହେବାର ବି ସୌଭାଗ୍ୟ ପାଇଥିଲେ । ଆମେ କହୁଛୁ ବଣାଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀଙ୍କ କଥା ।
ଭୀମସେନଙ୍କ କାହାଣୀ ଶୁଣିଲେ ଆପଣବି ଚକିତ ହୋଇଯିବେ । ଯୁବାବସ୍ଥାରେ ଭୀମସେନ ଗରିବୀ ସହ ଯୁଝୁଥିଲେ । ପେଟକୁ ଦାନା ପାଣି ପାଇଁ ଶ୍ରମିକ ଭାବେ କାମ କରୁଥିଲେ । ପିଲାଦିନୁ ଡାହାଣ ହାତ ପାପୁଲିର ବୁଢ଼ା ଆଙ୍ଗୁଠିକୁ ଛାଡ଼ିଦେଲେ ବାକି ସବୁ ଆଙ୍ଗୁଠି କଟିଯାଇଥିଲା । ଠିକାଦାର ପାଖରେ ଟଙ୍କା କେତେଟା ପାଇଁ କାମ କରୁଥିବା ଭୀମସେନ ପରେ ଛୋଟମୋଟ ଠିକା କାମ ଆରମ୍ଭ କରିଦେଇଥିଲେ । ପରେ ସେ ରାଜନୀତିରେ ପାଦ ଥାପିଥିଲେ । ସରପଞ୍ଚରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ସେତେବେଳେ ବଣାଇର ଲୋକପ୍ରିୟ ନେତା ଥିଲେ ଜୁଏଲ ଓରାମ୍ । ଭୀମସେନଙ୍କ ସଂଗଠନକୁ ଦେଖି ସେ ତାଙ୍କୁ ବିଜେପିକୁ ଆଣିବା ସହ ବିଧାୟକ ଟିକେଟ ବି ଦେଇଥିଲେ । ଜୁଏଲଙ୍କ ପାଇଁ ବିଧାୟକ ହୋଇଥିଲେ ଭୀମସେନ । କିନ୍ତୁ ପରେ ଘୋଡ଼ା ବେପାରକୁ ନେଇ ଜୁଏଲଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା । ତେଣୁ ବିଜେପି ଛାଡ଼ି ପୁଣି କଂଗ୍ରେସରେ ଭାଗ୍ୟ ପରଖି ସେ ବିଫଳ ହୋଇଥିଲେ । ୨୦୧୬ରୁ ବିଜେଡ଼ିରେ ମିଶିଥିଲେବି ୨୦୧୯ରେ ଦଳୀୟ ଟିକେଟ ମିଳିନଥିଲା । ଚବିଶ ପାଇଁ କିନ୍ତୁ ବିଜେଡ଼ି ତାଙ୍କ ଉପରେ ଭରସା କରି ବଣାଇ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆଜି ଯିଏ ରଙ୍କ, କାଲି ସେ ରାଜା ବୋଲି ଭୀମସେନଙ୍କ ଘଟଣାରୁ ପ୍ରତିପାଦିତ ହୋଇଯାଇଛି ।