ବିଜେପି ଘାବରେଇ ଯାଇଛି: ସୁର

ବିଜେପି ଘାବରେଇ ଯାଇଛି: ସୁର

ଭୁବନେଶ୍ୱର: ବିଜେପି ଏବେ ଭୟଭୀତ । ସୋନିଆ ଗାନ୍ଧୀ ଏଆଇସିସି ସଭାପତି ହେବା ପରେ ଭାରତୀୟ ଜନତା ପାର୍ଟି ଘାବରେଇ ଯାଇଛି । ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଓଡ଼ିଶା ଗସ୍ତରେ ଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ସମାଲୋଚନା କରିବା ପ୍ରସଙ୍ଗରେ ଶ୍ରୀ ରାଉତରାୟ ଏହା କହିଛନ୍ତି । ଶିବରାଜଙ୍କ ମନ୍ତବ୍ୟ ଉପରେ ଶ୍ରୀ ରାଉତରାୟ କଡ଼ା ଜବାବ ଦେଇ କହିଛନ୍ତି ଯେ, ଦେଶ ପାଇଁ ଗାନ୍ଧି ପରିବାରର ଯାହା ଅବଦାନ ଅଛି ଆଉ କାହାର ନାହିଁ । ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଦେଶ ପାଇଁ ପ୍ରଣବାଳି ଦେଇଛନ୍ତି । ସୋନିଆ ସଭାପତି ହେବା ପରେ ବିଜେପି ଡରି ଯାଇଛି । ବିଜେପିର ଖାଲି ବଡ଼ କଥା । ଦେଶର ଯାହା ବିକାଶ ହୋଇଛି ତାହା କଂଗ୍ରେସ କରିଛି । କେବଳ ନେହରୁ ଓ ପଟେଲଙ୍କ ପାଇଁ କାଶ୍ମୀର ଅଛି । ବିଜେପି କେଉଁଠି ଥିଲା? ବିଜେପି ଏହି ୮/୧୦ ବର୍ଷ ହେଲା ଆସିଛି ବୋଲି ସୁର ରାଉତରାୟ କହିଛନ୍ତି । ପ୍ରକାଶ ଯେ, କଂଗ୍ରେସ ଉପରେ ବର୍ଷି ଶ୍ରୀ ଚୌହାନ କହିଥିଲେ ଯେ, କଂଗ୍ରେସ ପରିବାରବାଦ ରାଜନୀତି ଉପରେ ବିଶ୍ୱାସ କରୁଛି । ବିଜେପି ପରିବାରବାଦ ରାଜନୀତି ଉପରେ ବିଶ୍ୱାସ କରେନାହିଁ । ବିଜେପି ଲୋକଙ୍କ ବିକାଶ ଚାହେଁ । ତିନି ତଲାକ ପରି ଐତିହାସିକ ବିଲ ପାସ କରି ବିଜେପି ଆସ୍ଥାଭାଜନ ହୋଇଛି । କଂଗ୍ରେସ ମୁଖିଆ ଚୟନ ନେଇ ଟଣା ଓଟରା ଚାଲିବା ହାସ୍ୟାସ୍ପଦ । ସେହିପରି ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସେ ପଣ୍ଡିତ ଜବାହରଲାଲ ନେହରୁଙ୍କ ମଧ୍ୟ ସମାଲୋଚନା କରିଥିଲେ । ପଣ୍ଡିତ ଜବାହରଲାଲ ନେହରୁ ହେଉଛନ୍ତି କାଶ୍ମୀର ସମସ୍ୟାର ଜନକ । ନେହରୁଙ୍କ କାଶ୍ମୀର ଭୁଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଧାରିଛନ୍ତି ବୋଲି ଶିବରାଜ କହିଥିଲେ ।