ଭଦ୍ରକ ଜିଲ୍ଲାରେ ହେଭିୱେଟ ମୁହାଁମୁହିଁ
ଏଥର ଜମାଣିଆ ହେବ ଭଦ୍ରକ ପଲିଟିକ୍ସ । ନିର୍ବାଚନୀ ମଇଦାନକୁ ସବୁ ଦଳର ହେଭିୱେଟ ନେତା ଓହ୍ଲାଇବେ । ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡ଼ା ଟକ୍କର । ଅର୍ଥ ବଳ, ବାହୁ ବଳ, ସରକାରୀ କଳ, ସବୁ କିଛି ଭଦ୍ରକରେ ଏକାକାର ହୋଇଯିବ । ଆସନ୍ତୁ ଜାଣିବା କେଉଁ ଆସନରେ ଲଢ଼ିବେ କେଉଁ ହେଭିୱେଟ ନେତା ?
ଏଥର ବେଶୀ ଚର୍ଚ୍ଚାରେ ରହିବ ଭଣ୍ଡାରୀପୋଖରୀ ଓ ଚାନ୍ଦବାଲି । ଭଣ୍ଡାରୀପୋଖରୀରେ ଟାଣୁଆ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲ ଓ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପୁଣିଥରେ ମୁହାଁମୁହିଁ ହେବେ । ପ୍ରଫୁଲ୍ଲ ନିଜେ ନଲଢ଼ି ପୁଅଙ୍କ ପାଇଁ ଗୋଟି ଚଳାଉଛନ୍ତି । କିନ୍ତୁ ନିରଞ୍ଜନ ପୁଣି ଲଢ଼ିବାକୁ ଯାଉଥିବାରୁ ବିଜେଡ଼ି ରିସ୍କ ନେବାକୁ ଚାହୁଁନାହିଁ । ଗତ ନିର୍ବାଚନରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ନିରଞ୍ଜନ ଖୁବ ଦମରେ ଲଢ଼ିଥିଲେବି ବିଜେଡ଼ି ହାୱା ପାଇଁ ପରାଜୟର ସାମ୍ନା କରିଥିଲେ । କିନ୍ତୁ ସାମଲ ପରିବାରଙ୍କ ବିରୋଧରେ ଦଳ ଭିତରେ ଓ ଦଳ ବାହାରୁ ବିରୋଧ ବଢ଼ିବାରେ ଲାଗିଛି । ଏହି ମଉକାରେ ଦୀର୍ଘଦିନ ପରେ ନିରଞ୍ଜନ ବିଧାନସଭା ଯିବାକୁ ଆଶା ବାନ୍ଧିଛନ୍ତି
ସେହିପରି ଚାନ୍ଦବାଲିରେ ବି ରୋଚକ ଲଢେ଼ଇ ଦେଖିବାକୁ ମିଳିବ । ଗୋଟିଏ ପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଅପରପକ୍ଷରେ ଅଛନ୍ତି ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ । ପୂର୍ବରୁ ବି ଉଭୟ ମୁହାଁମୁହିଁ ହୋଇଥିଲେବି ବାପି ସବୁବେଳେ ମନମୋହନଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ଏଥର କିନ୍ତୁ ମନମୋହନ ରାଜ୍ୟ ବିଜେପି ସଭାପତି ଥିବାରୁ ବିଜେପି ଏହି ଆସନ ଉପରେ ବେଶୀ ଫୋକସ କରିବ । ନିର୍ବାଚନ ପାଇଁ ଆବଶ୍ୟକୀୟ ପାଣ୍ଠିର ଅଭାବ ବି ରହିବ ନାହିଁ । ଫଳରେ ମନମୋହନ ଓ ବାପିଙ୍କ ମଧ୍ୟରେ ଏଥର କାଂଟେକି ଟକ୍କର ଦେଖିବାକୁ ମିଳିବ ।
ଧାମନଗର ଆସନ ଉପରେ ବି ଏବେ ସମସ୍ତଙ୍କ ନଜର ରହିଛି । ଧାମନଗର ଉପନିର୍ବାଚନରେ ସୂରଜ ସୂର୍ଯ୍ୟବଂଶୀ ବାଜିମାତ କରି ବିଜେଡ଼ିକୁ ଚକିତ କରିଦେଇଥିଲେ । ଏବେ ସେ ବିଜେପିର ଟାଣୁଆ ବିଧାୟକଭାବେ ଉଭା ହୋଇଛନ୍ତି । ତାଙ୍କୁ ହରାଇବା ପାଇଁ ବିଜେଡ଼ି ଜୋରଦାର ରଣନୀତି କରିଛି । ଡାକ୍ତର ସଂଜୟ କୁମାର ଦାସ ବିଜେଡ଼ି ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ଫଳରେ ଧାମନଗରରେ ବି ରୋଚକ ଲଢେ଼ଇ ଦେଖିବାକୁ ମିଳିବ ।
ଗାଏମୋଟ ଦେଖିଲେ, ଭଦ୍ରକର ୩ ଆସନରେ ରାଜନୀତି ସରଗରମ ରହିବ । ଏହି ୩ ଆସନ ଉପରେ ସବୁ ଦଳର ମଧ୍ୟ ନଜର ରହିଛି । ତିନି ଆସନକୁ ହାତଛଡ଼ା କରିବା ପାଇଁ କୌଣସି ଦଳ ଚାହୁଁନାହାନ୍ତି । ନିର୍ବାଚନର ବହୁଦିନ ପୂର୍ବରୁ ଚାନ୍ଦବାଲି, ଧାମନଗର ଓ ଭଣ୍ଡାରୀପୋଖରୀ ପାଇଁ ତିନି ଦଳ ରଣନୀତି କରିଛନ୍ତି । ଏବେଠାରୁ ମଧ୍ୟ ରାଜନୀତିକ ମାହୋଲ ସରଗରମ ହୋଇଯାଇଛି ।