ଅନ୍ନକୂଟ୍ ପୂଜା

ଦୀପାବଳି ପରଦିନ ସମଗ୍ର ଭାରତବର୍ଷରେ ଗୋବର୍ଦ୍ଧନ ପୂଜା କରାଯାଏ । ଏହି ପର୍ବକୁ ଅନ୍ନକୂଟ୍ ମଧ୍ୟ କୁହାଯାଇଥାଏ । କାର୍ତ୍ତିକ ମାସର ପ୍ରତିପଦାରେ ଭଗବାନ ଗୋବର୍ଦ୍ଧନ କିମ୍ବା ଗିରିରାଜଙ୍କୁ ପୂଜା କରିବାର ଏକ ପରମ୍ପରା ରହିଛି । ତାଙ୍କ ସହିତ ଆମେ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋମାତାକୁ ମଧ୍ୟ ପୂଜା କରିଥାଉ । କୁହାଯାଏ ଯେ ଭଗବାନ ଶ୍ରୀକୃଷ୍ଣ ଲୋକମାନଙ୍କୁ ଗୋବର୍ଦ୍ଧନଙ୍କ ପୂଜା କରିବା ପାଇଁ କହିଥିଲେ, ଯେଉଁଥିରେ ଭଗବାନ ଇନ୍ଦ୍ର କ୍ରୋଧିତ ହୋଇଥିଲେ ଏବଂ ପରେ ଭଗବାନ ଶ୍ରୀକୃଷ୍ଣ ବ୍ରଜବାସୀଙ୍କୁ ସୁରକ୍ଷା ଦେଇଥିଲେ ।
ହିନ୍ଦୁ ପୁରାଣ ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ ଛୋଟ ଆଙ୍ଗୁଠିରେ ଉଠାଇ ନିଜ ଗ୍ରାମବାସୀଙ୍କୁ ଭଗବାନ ଇନ୍ଦ୍ରଙ୍କ କ୍ରୋଧରୁ ରକ୍ଷା କରିଥିଲେ ତା’ପରେ ସେ ଇନ୍ଦ୍ରଙ୍କୁ ପୂଜା କରିବା ପରିବର୍ତ୍ତେ ଗୋବର୍ଦ୍ଧନ ଏବଂ ଗୋମାତାଙ୍କୁ ପୂଜା କରିବାକୁ କହିଥିଲେ । ବାସ୍ତବରେ ବ୍ରଜରେ ଲୋକମାନେ ଇନ୍ଦ୍ର ଦେବଙ୍କୁ ପୂଜା କରୁଥିଲେ । ଯେତେବେଳେ ଭଗବାନ କୃଷ୍ଣ ଦେଖିଲେ ଯେ ଲୋକମାନେ ଅନ୍ଧବିଶ୍ୱାସରେ ଭଗବାନ ଇନ୍ଦ୍ରଙ୍କୁ ଉପାସନା କରୁଛନ୍ତି, ସେତେବେଳେ ସେ ସେମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ ।
ଇନ୍ଦ୍ରଦେବଙ୍କ ପୂଜା ବିଷୟରେ ଶ୍ରୀକୃଷ୍ଣ ଲୋକମାନଙ୍କୁ କହିଥିଲେ ଯଦି ଇନ୍ଦ୍ରଦେବ କେବେ ଦେଖା ଯାଆନ୍ତି ନାହିଁ ସେତେବେଳେ ତାଙ୍କୁ ପୂଜା କରିବାର ଅର୍ଥ କ’ଣ? ଏହାଠାରୁ ଭଲ ଗୋମାତାଙ୍କୁ ପୂଜା କରାଯିବା ଉଚିତ, ଯାହାଠାରୁ ଲୋକମାନେ କ୍ଷୀର ପାଉଛନ୍ତି । ଗୋବର୍ଦ୍ଧନ ପର୍ବତକୁ ପୂଜା କରାଯିବା ଉଚିତ କାରଣ ପ୍ରକୃତି ଆମକୁ ଅନେକ କିଛି ଦେଇଥାଏ । ଶ୍ରୀକୃଷ୍ଣଙ୍କ ଠାରୁ ଏପରି କଥା ଶୁଣିବା ପରେ ବ୍ରଜବାସୀ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ଆରମ୍ଭ କରିଥିଲେ ।
କିନ୍ତୁ ଏହା ପରେ ଇନ୍ଦ୍ରଦେବ କ୍ରୋଧିତ ହୋଇ ବ୍ରଜରେ ପ୍ରବଳ ବର୍ଷା କରିଥିଲେ । ଲୋକମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ ଛୋଟ ଆଙ୍ଗୁଠିରେ ଦୀର୍ଘ ୭ ଦିନ ପାଇଁ ଉଠାଇ ରଖିଥିଲେ ଏବଂ ବ୍ରଜର ଲୋକ ଏବଂ ପଶୁମାନେ ମଧ୍ୟ ଏହା ତଳେ ଆସି ଇନ୍ଦ୍ରଙ୍କ କ୍ରୋଧ ବର୍ଷାରୁ ରକ୍ଷା ପାଇଥିଲେ । ଏହା ପରେ ଇନ୍ଦ୍ର ଦେବ ଭଗବାନ ଶ୍ରୀକୃଷ୍ଣଙ୍କଠାରୁ କ୍ଷମା ମାଗିଥିଲେ । ଏହି ପୂରା ଘଟଣା ପରେ, ଲୋକମାନେ ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା କରିବା ଆରମ୍ଭ କରିଲେ । ଶ୍ରୀକୃଷ୍ଣଙ୍କ ଏହି ଲୀଳା ହେତୁ ତାଙ୍କୁ ଗିରିଧର ତଥା ଗୋବର୍ଦ୍ଧନଧାରୀ ନାମରେ ନାମିତ କରାଯାଇଛି ।
ଶାସ୍ତ୍ର ଅନୁଯାୟୀ ଗୋମାତାଙ୍କ ଠାରେ ୩୩ କୋଟି ଦେବୀ ଦେବତା କରନ୍ତି । ତାଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ଆସିଥାଏ ବୋଲି ବିଶ୍ୱାସ କରାଯାଏ । ଏହି ପୂଜାରେ ଗୋମାତାଙ୍କୁ ସ୍ନାନ କରାଯାଏ, ରଙ୍ଗ ଲଗାଯାଏ, ପୂଜା କରାଯାଏ ଏବଂ ଖାଦ୍ୟ ମଧ୍ୟ ଦିଆଯାଇଥାଏ ଏବଂ ତାଙ୍କ ବେକରେ ଏକ ନୂଆ ଦଉଡି ବନ୍ଧା ହୋଇଥାଏ ।
ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଗୋବର୍ଦ୍ଧନ ଏବଂ ଗୋମାତାଙ୍କ ପୂଜା କରିବାର ଉଦେ୍ଧଶ୍ୟ ହେଉଛି ବ୍ରଜର ଲୋକଙ୍କ ଚିନ୍ତାଧାରାରେ ଉନ୍ନତି ଆଣିବା । ଏହି ଲୀଳା ପଛରେ ଏକ ବାର୍ତ୍ତର୍ା ମଧ୍ୟ ଲୁଚି ରହିଛି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଆମେ ପ୍ରକୃତିରୁ ବହୁତ କିଛି ପାଇଥାଉ ସେଥିପାଇଁ ଏହା ପ୍ରତି ଆମେ କୃତଜ୍ଞ ହେବା ଉଚିତ୍ । ଗୋବର୍ଦ୍ଧନ ପୂଜା ପଛରେ ଭଗବାନ ଶ୍ରୀକୃଷ୍ଣ ସଂସାରକୁ ଏହି ଶିକ୍ଷା ଦେଇଛନ୍ତି ।