ଗିରି ଗୋବର୍ଦ୍ଧନ ପୂଜା

ଗିରି ଗୋବର୍ଦ୍ଧନ ପୂଜା

ଦୀପାବଳି ପର ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଗୋବର୍ଦ୍ଧନ ପୂଜା କରାଯାଇଥାଏ । ଶ୍ରୀକୃଷ୍ଣ ଇନ୍ଦ୍ରଦେବଙ୍କ ପ୍ରକୋପରୁ ଗୋକୁଳବାସୀଙ୍କୁ ବଂଚାଇବା ପାଇଁ ତର୍ଜନୀ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠେଇଥିଲେ । ସେବେଠାରୁ ଗୋବର୍ଦ୍ଧନ ପର୍ବ ପାଳନ କରିବା ପରମ୍ପରା ଚାଲିଆସିଛି । ଧାର୍ମିକ ବିଶ୍ୱାସ ଅନୁସାରେଏହି ପର୍ବତ ଏତେ ବଡ ଯେ ସୂର୍ଯ୍ୟନାରାୟଣ ମଧ୍ୟ ଏହା ମଧ୍ୟରେ ଲୁଚି ଯାଉଥିଲେ । ଏହି ପୂଜା ବିଶେଷ ଭାବେ ଗାଈ ମାନଙ୍କୁ ସମର୍ପିତ କରାଯାଇଛି ।

ଗୋବର୍ଦ୍ଧନ ପୂଜାରେ ଖାସ କରି ଗୋମାତାଙ୍କ ର ପୂଜା କରାଯାଏ । ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋ ମାତାଙ୍କୁ ବହୁତ ପବିତ୍ର ମନାଯାଏ । ଏମିତିକି ଗାଈକୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ମନାଯାଏ । ଏମିତିରେ ଯେଉଁପରି ମାତା ଲକ୍ଷ୍ମୀ ସୁଖ ସମୃଦ୍ଧି ତଥା ଧନାର୍ଶିବାଦ ପ୍ରଦାନ କରିଥାନ୍ତି ସେହିପରି ଗୋମାତା ନିଜ କ୍ଷୀରରେ ସ୍ୱାସ୍ଥ୍ୟ ରୂପି ଧନ ପ୍ରଦାନ କରିଥାନ୍ତି । ଏମିତିରେ ଗାଈ ଦେହରେ ୩୦ କୋଟି ଦେବଦେବୀ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି । ଏମିତିରେ ପ୍ରଭୁ ଶ୍ରୀକୃଷ୍ଣ ହିଁ ପ୍ରଥମେ ଏହି ପୂଜା ଆରମ୍ଭ କରିଥିଲେ ।

୫ ହଜାର ବର୍ଷ ପୂର୍ବରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ୩୦ ହଜାର ମିଟର ଥିଲା । କିନ୍ତୁ ବର୍ତ୍ତମାନ ଏହାର ଉଚ୍ଚତା ୨୫ରୁ ୩୦ ମିଟର ରହିଛି । ବର୍ତ୍ତମାନ ଏହି ପର୍ବତର ଉଚ୍ଚତା ପ୍ରତିଦିନ ମୁଠାଏ ଲେଖାଏ କମି କମିଯାଉଛି । ଜଣେ ଋଷିଙ୍କ ଅଭିଶାପ ଯୋଗୁଁ ପର୍ବତର ଉଚ୍ଚତା ହ୍ରାସ ପାଉଛି ବୋଲି କୁହାଯାଏ ।

ଏକ ଧାର୍ମିକ କଥା ଅନୁସାରେ, ଥରେ ପୂଲସ୍ତ୍ୟ ଋଷି ଗିରିରାଜ ପର୍ବତ ଦେଇ ଯାଉଥିଲେ । ପର୍ବତର ସୌନ୍ଦର୍ଯ୍ୟ ତାଙ୍କୁ ଆକୃଷ୍ଟ କରିଥିଲା । ପୂଲସ୍ତ୍ୟ ଋଷି ଦ୍ରୋଣାଂଚଳଙ୍କୁ ଅନୁରୋଧ କରିଥିଲେ ଯେ ସେ କାଶୀରେ ରହିବାକୁ ଚାହୁଁଛନ୍ତି ଏବଂ ସେ ନିଜ ପୁତ୍ର ଗୋବର୍ଦ୍ଧନ ତାଙ୍କୁ ଦେଇଦିଅନ୍ତୁ । ସେ ଏହାକୁ କାଶୀରେ ସ୍ଥାପିତ କରିବାକୁ ଚାହୁଁଛନ୍ତି । ଦ୍ରୋଣାଂଚଳ ଏହା ଶୁଣି ବହୁତ ଦୁଃଖୀ ହେଲେ । ଗୋବର୍ଦ୍ଧନ ଋଷିଙ୍କୁ କହିଲେ ଯେ ସେ ତାଙ୍କ ସହ ଯିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସେ କହିଥିଲେ ଯେ, ତାଙ୍କୁ ସେ ଯେଉଁଠାରେ ରଖିବେ ସେ ସେଠାରେ ସ୍ଥାପିତ ହୋଇଯିବେ । ପୂଲସ୍ତ୍ୟ ଋଷି ପ୍ରତିଶୃତି ଦେଲେ । ଗୋବର୍ଦ୍ଧନ କହିଥିଲେ ‘ମୁଁ ଦୁଇ ଯୋଜନ ଉଚ୍ଚ ଓ ପାଂଚ ଯୋଜନ ଚଉଡା । ଆପଣ ମୋତେ କାଶୀ କେମିତି ନେଇଯିବେ  ପୂଲସ୍ତ୍ୟ ଜବାବ ଦେଲେ ଯେ ସେ ନିଜ ତପୋବଳ ବଳରେ ତାଙ୍କୁ ପାପୁଲିରେ ନେଇଯିବେ ।

ରାସ୍ତାରେ ବ୍ରିଜ ଧାମ ପଡିଲା । ସେତେବେଳେ ଗୋବର୍ଦ୍ଧନଙ୍କୁ ମନେପଡ଼ିଲା ଯେ ଭଗବାନ ଶ୍ରୀକୃଷ୍ଣ ଏଠାରେ ବାଲ୍ୟକାଳରେ ଲୀଳା କରୁଥିଲେ । ଗୋବର୍ଦ୍ଧନ ପୂଲସ୍ତ୍ୟଙ୍କ ପାପୁଲିରେ ଧୀରେ ଧୀରେ ଓଜନିଆ ହେବାକୁ ଲାଗିଲା । ଯାହାଫଳରେ ତାଙ୍କ ତପସ୍ୟା ଭାଙ୍ଗିଗଲା । ପୂଲସ୍ତ୍ୟ ଗୋବର୍ଦ୍ଧନ ପର୍ବତକୁ ସେଠାରେ ରଖିଦେଲେ ଓ ତାଙ୍କୁ ଦେଇଥିବା ପ୍ରତିଶୃତି ଭାଙ୍ଗିଦେଲେ । କିଛି ସମୟରେ ପୂଲସ୍ତ୍ୟ ଗୋବର୍ଦ୍ଧନକୁ ଉଠାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ପାରିଲେନି । ସେତେବେଳେ ପୂଲସ୍ତ୍ୟ ରାଗିଯାଇ ଗୋବର୍ଦ୍ଧନକୁ ଅଭିଶାପ ଦେଇଥିଲେ ଯେ ତାଙ୍କର ବିଶାଳକାୟ ଉଚ୍ଚତା ଜନୈକ ଟିକିଏ ଟିକିଏ ହ୍ରାସ ପାଇବ । ସେବେଠାରୁ ଗୋବର୍ଦ୍ଧନ ପର୍ବତର ଉଚ୍ଚତା ହ୍ରାସ ପାଇବାରେ ଲାଗିଛି ।

ହିନ୍ଦୁ ଧର୍ମରେ ଗୋବର୍ଦ୍ଧନ ପର୍ବତ ପରିକ୍ରମାର ଅନେକ ମହତ୍ୱ ରହିଛି । ଯଦି କୌଣସି ବ୍ୟକ୍ତି ଚାରି ଧାମ ଯାତ୍ରା କରିନପାରନ୍ତି ତାହେଲେ ସେ ଗୋବର୍ଦ୍ଧନ ପର୍ବତ ପରିକ୍ରମା ନିଶ୍ଚୟ କରିବା ଉଚିତ । ଏହାଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ । ଗୋବର୍ଦ୍ଧନ ପର୍ବତ ପାଖାପାଖି ୧୦ କିଲୋମିଟର ଯାଏଁ ବିସ୍ତାର କରିଛି । ଗୋବର୍ଦ୍ଧନ ପର୍ବତ ପରିକ୍ରମା ୨୧ କିମି ରହିଥାଏ ଯାହାକୁ ବୁଲିବା ପାଇଁ ପାଖାପାଖି ୫ରୁ ୬ ଘଂଟା ସମୟ ଲାଗିଥାଏ । ଏହି ପର୍ବତ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଦୁଇ ରାଜ୍ୟ ମଧ୍ୟରେ ବିଭାଜିତ ।