ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅଜଣା ଗାଡ଼ି ଧକ୍କାରେ ୨ ମୃତ

କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସେଗାସାହି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରେହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ କଳମଙ୍ଗ ଗ୍ରାମର ଅଜିତ ମୁଣ୍ଡା (୨୦), ଜଗଦୀଶ ଦେହୁରୀ (୧୮) ଏବଂ ଗୁରୁତର ଜଣକ ବିକ୍ରମ ମୁଣ୍ଡା (୨୨) ବୋଲି ଜଣାପଡ଼ିଛି । ଏମାନେ ସମସ୍ତେ କୋଇଡ଼ାରୁ ବାହୁଡ଼ା ଯାତ୍ରା ଦେଖି ଘରକୁ ଫେରୁଥିଲେ । 

 ଅଜିତ, ଜଗଦୀଶ ଓ ବିକ୍ରମ ହେଉଛନ୍ତି ତିନି ଜଣ ସାଙ୍ଗ । ସେମାନେ ଏକ ବାଇକ୍‌ (ଓଡି୦୯ପି ୭୯୬୫) ଯୋଗେ କୋଇଡ଼ାକୁ ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରେ ବାହୁଡ଼ା ଯାତ୍ରା ଦେଖି ରାତି ୯ଟା ସମୟରେ ବାଇକ୍‌ରେ ଘରକୁ ଫେରୁଥିଲେ । ଦୁଇ କିଲୋମିଟର ପରେ ସେମାନେ ଘରେ ପହଞ୍ଚିଥାନ୍ତେ । ହେଲେ ସେଗାସାହି ନିକଟରେ ସେମାନଙ୍କ ବାଇକ୍‌କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଅଜିତ ଓ ଜଗଦୀଶଙ୍କ ମୃତ୍ୟୁ ଘଟିଥିବା ବେଳେ ବିକ୍ରମ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ପଥର ପକାଇ ରାସ୍ତାରୋକ କରିଛନ୍ତି ।