ନାଭିକଟା ମଣ୍ଡପରେ କଟାଯାଏ ଶ୍ରୀକୃଷ୍ଣଙ୍କ ନାଭି

ନାଭିକଟା ମଣ୍ଡପରେ କଟାଯାଏ ଶ୍ରୀକୃଷ୍ଣଙ୍କ ନାଭି

ଶ୍ରୀମନ୍ଦିରର ଭିତର ବେଢାସ୍ଥିତ ଗାରଦ ଘରର ପଶ୍ଚିମ ପାର୍ଶ୍ୱରେ ରହିଛି ନାଭିକଟା ମଣ୍ଡପ । ପୀଢ ଶୈଳୀର ଏହି ଖୋଲା ମଣ୍ଡପକୁ ବଜନ୍ତରୀ ମଣ୍ଡପ ବୋଲି କୁହାଯାଏ । ଜନ୍ମାଷ୍ଟମୀ ଦିନ ଏହି ମଣ୍ଡପରେ ଶ୍ରୀକୃଷ୍ଣଙ୍କ ନାଭିକଟା କର୍ମ ସମାପିତ ହୋଇଥାଏ । ନାଭିକଟା ମଣ୍ଡପଟି ଅତୀତରେ ତେଲେଙ୍ଗା ମେର୍ଦା ନାମରେ ପରିଚିତ ଥିଲା । ଏକଦା ରାଜାଙ୍କ ଦ୍ୱାରା ଦଣ୍ଡିତ ସେବକ/କର୍ମଚାରୀ/ ଯାତ୍ରୀମାନଙ୍କୁ ଏହି ମଣ୍ଡପରେ ବାହାରପଟୁ ତାଲା ପକାଇ ରଖାଯାଉଥିଲା । ପ୍ରତ୍ୟେହ ବଜନ୍ତରୀ ସେବକ ଧୂପ ପୂଜା ସମୟରେ ଏହି ମଣ୍ଡପ ଉପରେ ବସି ତେଲେଙ୍ଗୀ ବାଦ୍ୟ ବଜାଇଥାନ୍ତି । ନାଭିକଟା ମଣ୍ଡପର ଉଚ୍ଚତା ୧୨ ଫୁଟ୍‌ । ୧୦ ଫୁଟ୍‌ରେ ୧୦ ଫୁଟ୍‌ ପରିମିତ ଏକ ବର୍ଗାକାର କ୍ଷେତ୍ର ତଥା ଚାରିଗୋଟି ସ୍ତମ୍ଭ ଉପରେ ଏହି ମଣ୍ଡପଟି ଅବସ୍ଥିତ । ଗତ କିଛି ବର୍ଷ ଧରି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ଥିବା ‘ହୁଣ୍ଡି’ର ଅର୍ଥ ଗଣତି ଏହି ମଣ୍ଡପରେ କରାଯାଉଅଛି ।