ଶ୍ରୀମନ୍ଦିରରେ ବଳିବାମନ ବେଶ

ଶ୍ରୀମନ୍ଦିରରେ ବଳିବାମନ ବେଶ

ପୁରୀ :  ମଙ୍ଗଳବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସଂପର୍ଣ୍ଣ । ଏହାପରେ ବୁଧବାର ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଖବର ଅନୁଯାୟୀ, ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ ।  ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ। ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ। ଏହି ବେଶ ବଡ଼ସିଂହାର ପୂଜା ପର୍ୟ୍ୟନ୍ତ ରହିବ।

ସେହିପରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ତେଣୁ ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି।