ସବୁଠୁ ଗରିବ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ସବୁଠୁ ଗରିବ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: ୮ ମାସ ପରେ ପୁଣି ପ୍ରକାଶ ପାଇଛି ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା । ୨୦୨୨ ଡିସେମ୍ବର ୩୧ ପର୍ୟ୍ୟନ୍ତ ସମସ୍ତ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି ରାଜ୍ୟ ସରକାର । ସବୁ ଥର ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିରେ ବିଶେଷ କିଛି ପରିବର୍ତ୍ତନ ଆସିନି । ସେଇ କିଛି ପୁରୁଣା ବ୍ୟାଙ୍କ ଜମା, ପୈତୃକ ସମ୍ପତ୍ତି ଆଉ ପୁରୁଣା ଆମ୍ବାସାଡାର କାର୍‌ । ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୬୫ କୋଟି ୪୦ ଲକ୍ଷ ଟଙ୍କା ହେବ । ମନ୍ତ୍ରୀମାନଙ୍କ ମଧ୍ୟରେ ପୂର୍ତ୍ତ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସବୁଠୁ ଗରିବ । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୧ ଲକ୍ଷ ଟଙ୍କାରୁ ଅଧିକ । ଗତ ସେପ୍ଟେମ୍ବରରେ ସମସ୍ତ ମନ୍ତ୍ରୀମାନଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଥିଲା । ସେଥିରେ ୨୦୨୧ ଡିସେମ୍ବର ପର୍ୟ୍ୟନ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ ଦିଆଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୪.୯୭ କୋଟି ଟଙ୍କା ଥିଲା ।

ବ୍ୟାଙ୍କ ଜମାରେ ସୁଧ ଓ ସମ୍ପତ୍ତିର ବର୍ତ୍ତମାନ ବଜାର ମୂଲ୍ୟ ଆଧାରରେ ପୂର୍ବ ବର୍ଷ ତୁଳନାରେ ନବୀନଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କା ବଢ଼ିଛି ।ନୂଆଦିଲ୍ଲୀସ୍ଥିତ ଜନପଥ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ନବୀନଙ୍କ ନାମରେ ୭୦ ଲକ୍ଷ ୧୧ ହଜାର ୧୫୦ ଟଙ୍କା ୧୩ ପଇସା ଜମା ଅଛି । ପାର୍ଲିଆମେଣ୍ଟ ହାଉସ ଏସବିଆଇରେ ମାତ୍ର ୧୯୪୫ ଟଙ୍କା ଜମା ରହିଛି ତାଙ୍କ ଆକାଉଣ୍ଟରେ । ବାପୁଜୀନଗର ଏସବିଆଇରେ ୨୦ ଲକ୍ଷ ୮୭ ହଜାର ଟଙ୍କା, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଏସବିଆଇରେ ପ୍ରାୟ ୨୨ ହଜାର ଟଙ୍କା, ବରଗଡ଼ ପଦ୍ମପୁର ଏସବିଆଇରେ ୪୦ ହଜାର ୯୨ ଟଙ୍କା ଜମା ଥିବା ଦର୍ଶାଯାଇଛି । ଏଚଡିଏଫସିରେ ୧ କୋଟି ଟଙ୍କା ଫିକ୍ସଡ ଡିପୋଜିଟ ଥିବାବେଳେ ୯ କୋଟି ଟଙ୍କାର ଆରବିଆଇ ବଣ୍ଡ୍‌, ପୋଷ୍ଟ ଅଫିସରେ ଦେଢ଼ କୋଟିର ଟର୍ମ ଡିପୋଜିଟ ରହିଛି । ଏହାବାଦ୍‌ ମାତ୍ର ୩ ଲକ୍ଷ ୪୯ ଟଙ୍କାର ଜୁଏଲାରୀ ଅଛି । ୧୯୮୦ ମଡେଲ୍‌ର ଯେଉଁ ଆମ୍ବାସାଡର କାର୍‌ ରହିଛି, ତା’ର ବର୍ତ୍ତମାନ ମୂଲ୍ୟ ୬୪୩୪ ଟଙ୍କା ।

ମୁଖ୍ୟମନ୍ତ୍ରୀଙ୍କର ନିଜର ଗାଡ଼ି କହିଲେ ମାତ୍ର ଏଇ ପୁରୁଣା ଆମ୍ବାସାଡ଼ର କାରଟି । ସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୧୨ କୋଟି ୫୨ ଲକ୍ଷ ୧୫ ହଜାର ଟଙ୍କା ହେବ । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି (ଜମି, କୋଠାବାଡ଼ି) ମୂଲ୍ୟ ୫୨ କୋଟି ୮୮ ଲକ୍ଷ ଟଙ୍କା ହେବ । ଏହି ତାଲିକାରେ ରହିଛି ନବୀନ ନିବାସର ଦୁଇ ତୃତୀୟାଂଶ (ଯାହା ତାଙ୍କ ଅଧିକାର), ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା । ନୂଆଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କଲାମ ରୋଡସ୍ଥିତ ସମ୍ପତ୍ତିର ୫୦% ନବୀନଙ୍କ ଭାଗରେ ଥିବାବେଳେ ଏହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା । ଅର୍ଥାତ୍‌ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ସର୍ବାଧିକ ଅଂଶ ନୂଆଦିଲ୍ଲୀସ୍ଥିତ ଏହି ସମ୍ପତ୍ତି ।