ମୋବାଇଲ ପାଲଟିଲା ନିଶା

ମୋବାଇଲ ପାଲଟିଲା ନିଶା

ପ୍ରତ୍ଯେକ ଶତାବ୍ଦୀରେ କିଛି ନା କିଛି ବୈଷୟିକ ବିପ୍ଲବ ହୋଇଛି । ଏକବିଂଶ ଶତାବ୍ଦୀର ପ୍ରଥମ ଚତୁରାର୍ଦ୍ଧରେ ଏହାର ଶ୍ରେୟ ମୋବାଇଲକୁ ଦିଆଯାଇ ଆଜି ମୋବାଇଲ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କାର୍ଯ୍ୟ, ଉତ୍ପାଦକତା, ମନୋରଞ୍ଜନ ଏବଂ ଯୋଗାଯୋଗରେ ଏହାର ଏକ ମୁଖ୍ୟ ଭୂମିକା ରହିଛି ।

ମୋବାଇଲ୍ ଏକ ନିଶା କାହିଁକି ?

ମନୋରଞ୍ଜନର ଅନେକ ଉତ୍ସ ଅଛି କିନ୍ତୁ ବର୍ତ୍ତମାନ ଆମର ଦୃଷ୍ଟିଭଙ୍ଗୀ ବଦଳିଛି । ବର୍ତ୍ତମାନ କେବଳ କେହି ଜଣେ ମନୋରଂଜନ ବୋଲି ଖାଲି ଦେଖିବା ସେମିତି ଆବଶ୍ୟକ ନୁହେଁ ପ୍ରତ୍ୟେକ ବ୍ୟକ୍ତି ନିଜେ ଏକ କ୍ଷୁଦ୍ର ଚଳଚ୍ଚିତ୍ର କିମ୍ବା ଭିଡିଓ ତିଆରି କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିପାରିବ ଏବଂ ତତକ୍ଷଣାତ୍ ଲାଇକ ଓ କମେଣ୍ଟ ପାଇପାରିବ । ମୋବାଇଲ ଆସିଲା ପରେ ମନୋରଞ୍ଜନର ସଂଜ୍ଞା ମଧ୍ୟ ବଦଳିଯାଇଛି । ଆଗରୁ ବହି , ଟିଭି, ରେଡିଓ କି ସେହିଭଳି କିଛି ଆମ ପାଇଁ ମନୋରଞ୍ଜନର ମାଧ୍ୟମ ଥିଲା କିନ୍ତୁ ଆଜି ସେଥିରେ ଦେଉଥିବା ସବୁ ବିଷୟ ଏବଂ ତାଠୁ ଆହୁରି ଅଧିକ ମୋବାଇଲରେ ଉପଲବ୍ଧ ତେଣୁ ଖାଲି ଯୁବପିଢି ନୁହେଁ ପ୍ରାୟ ସବୁ ବୟସବର୍ଗରେ ମୋବାଇଲର ଆଦର ବଢି ଯାଇଛି । ଯେପରି ଗୃହିଣୀଟିଏ ତାର ପ୍ରିୟ ଧାରାବାହିକ ଦେଖିବାପାଇଁ ରୋଷେଇ ବନ୍ଦ କରି ଡ୍ରଇଂ ରୁମକୁ ଯିବାକୁ ପଡୁନାହିଁ । ରୋଷେଇ କରିବା ସହ ସେ ଧାରାବାହିକର ଆନନ୍ଦ ବି ସେଇ ରୋଷେଇଘରେ ନେଇପାରୁଛି । ଇଣ୍ଟରନେଟ ମାଧ୍ୟମରେ ମୋବାଇଲରେ ଜଣେ ଯେଉଁ ବିଷୟରେ ଚାହୁଁଛି ସେଇ ବିଷୟରେ ତଥ୍ୟ, ଚିତ୍ର ଓ ଭିଡିଓ ଦେଖି, ଶୁଣି ଓ ପଢି ପାରୁଛି । ଖାଲି ଦେଖିବା ପଢିବା ଶୁଣିବା ନୁହେଁ ନିଜର ପାରଦର୍ଶିତା ଥାଉ ବା ନଥାଉ ସେ ମଧ୍ୟ ସମ୍ପୃକ୍ତ ବିଷୟରେ ନିଜର ମତମତାକୁ ସେୟାର କରିପାରୁଛି । ତେଣୁ ମୋବାଇଲର ଆଦର ଏତେ ବଢି ଯାଇଛି ଯେ ଏହା ଏକ ନିଶା ପରି ପ୍ରାୟ ସମସ୍ତଙ୍କୁ ଗ୍ରାସ କରିବାକୁ ବସିଛି । ସବୁଠୁ ବଡକଥା ହେଲା ଟାଇମପାସ । ଆମକୁ ଯେତେବେଳେ ବି ଟିକିଏ ଖାଲି ସମୟ ମିଳୁଛି ଆମ ଛୋଟ ଛୋଟ ଭିଡିଓ ଇତ୍ୟାଦି ଦେଖିବା ଆରମ୍ଭ କରିଦେଉଛି । ବହିପରି ତାକୁ ସମ୍ପୂର୍ଣ ପଢିବା ଆବଶ୍ୟକ ପଡୁନାହିଁ ।

କେବଳ ଯୋଗାଯୋଗର ମାଧ୍ୟମ ପାଇଁ ତିଆରି ହୋଇଥିବା ମୋବାଇଲ୍ ବର୍ତମାନ ବିଶ୍ୱର ସବୁ ବ୍ୟବହାରକୁ ନିଜ କବଳକୁ ନେଇଯିବାକୁ ବସିଲାଣି । ସୋସିଆଲ ନେଟୱାର୍କ, ଚଳଚ୍ଚିତ୍ର, ଖେଳ, ମନୋରଂଜନ ,ବ୍ୟାଙ୍କିଙ୍ଗ ଇତ୍ୟାଦି ସବୁ ବିଷୟ ଆଜି ମୋବାଇଲରେ ଉପଲବ୍ଧ ।

ବିପଦ

ଅନାବଶ୍ୟକ ଭାବେ ସରଫିଙ୍ଗ କରିବା ଦ୍ଵାରା ସମୟର ଅପଚୟ ସହ ବେଳେବେଳେ ବିପଦପୂର୍ଣ ସାଇଟ ଦ୍ଵାରା ଭାଇରସ ଯୋଗୁଁ ଆର୍ଥିକ ଠକେଇରେ ପଡିବାର ସମ୍ଭାବନା ଥାଏ । ସାମାଜିକ ଗଣମାଧ୍ୟମରେ ଅଜଣା ଲୋକଙ୍କ ସହ ବନ୍ଧୁତା କରିବା ଯେତିକି ମଜାଦାର ସେତିକି ବିପଦପୂର୍ଣ ମଧ୍ୟ । ନଜାଣି ନଶୁଣି ଆମେ ଲୋକଙ୍କ ଫାସରେ ପଡ଼ିଥାଉ ଏବଂ ଅଜାଣତରେ ବିପଦକୁ ଠେଲି ହେଇଯାଉ । ରାସ୍ତାରେ ଚାଲୁଥିବା ସମୟରେ ଇୟରଫୋନ୍ ବ୍ୟବହାର ଯୋଗୁଁ ଆମକୁ ଯିବାଆସିବା କରୁଥିବା ଗାଡି ଶବ୍ଦ ଶୁଣିବାରେ ଅସୁବିଧା ହୋଇଥାଏ ଏବଂ ଦୁର୍ଘଟଣା ଘଟିବାର ସମ୍ଭାବନା ବହୁତ ବଢିଯାଇଥାଏ । ସେହିପରି ଅଫିସରେକାମ କରିବା ସମୟରେ ଇୟରଫୋନ୍ ବ୍ୟବହାର କାମ କରିବାର କ୍ଷମତାକୁ ହ୍ରାସ କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଆଜିକାଲି ପ୍ରାୟ ପିତାମାତା ମାନଙ୍କର ଅଭିଯୋଗ ଯେ ପିଲାମାନେ ମୋବାଇଲ ଯୋଗୁଁ ଠିକରେ ଉତ୍ତର ଦେଉନାହାନ୍ତି । ଆମକୁ ଏହାପରି ଅନେକ ସମସ୍ଯା ମୋବାଇଲ ଯୋଗୁ ସାମନା କରିବାକୁ ପଡୁଛି ।

କେମିତି ମୁକ୍ତି ପାଇବେ

ଏହାର ଉପଯୋଗ ବୁଝି ଏହାର ସଂତୁଳନ ରକ୍ଷା କରି ବ୍ୟବହାର କରିବା ପାଇଁ ଚେଷ୍ଟା କରିବା । ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ହିଁ ଚେଷ୍ଟା କରିବାକୁ ପଡ଼ିବ । ହଜେଇଦେଇଥିବା ପୁରୁଣା ରୁଚି ସବୁକୁ ଫେରେଇ ଆଣିବାକୁ ପଡ଼ିବ । ଯେପରି ଚିତ୍ର କରିବା , ବହି ପଢିବା ଉଦ୍ୟାନ କାମ କରିବା । ଏବଂ ସବୁଠୁ ବଡକଥା ହେଲା ନିଜ ପରିବାର ସହିତ ସମୟ ଦେଲାବେଳେ ମୋବାଇଲଠୁ ସମ୍ପୂର୍ଣ ଦୂରେଇ ରହିବ ।