ମୋବାଇଲରୁ ଚାହୁଁଛନ୍ତି କି ?

ମୋବାଇଲରୁ ଚାହୁଁଛନ୍ତି କି ?

ମନୁଷ୍ୟ ମୋବାଇଲ ଧରିବା ତ ଶିଖିଗଲା କିନ୍ତୁ କେତେବେଳେ ଛାଡ଼ିବ ସେକଥା ଭୁଲିଗଲା । ପ୍ରତ୍ୟେକ ଶତାବ୍ଦୀରେ କିଛି ନା କିଛି ବୈଷୟିକ ବିପ୍ଲବ ହୋଇଛି । ଏକବିଂଶ ଶତାବ୍ଦୀର ପ୍ରଥମ ଚତୁରାର୍ଦ୍ଧରେ ଏହାର ଶ୍ରେୟ ମୋବାଇଲକୁ ଦିଆଯାଇପାରେ । ଏଥିଯୋଗୁ ଆମର ବହୁତ ଅଗ୍ରଗତି ହୋଇଛି ଏବଂ ଏହାଯୋଗୁଁ ଅନେକ ବିପଦର ମଧ୍ୟ ସାମନା କରିବାକୁ ପଡୁଛି । ଆଜି ମୋବାଇଲ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କାର୍ୟ୍ୟ, ଉତ୍ପାଦକତା, ମନୋରଞ୍ଜନ ଏବଂ ଯୋଗାଯୋଗରେ ଏହାର ଏକ ମୁଖ୍ୟ ଭୂମିକା ରହିଛି ।

କିନ୍ତୁ କେତେ ଏବଂ କିପରି ?

ଆଜି ଯେତେବେଳେ ଆପଣ ଯେତେବେଳେ ଆତ୍ମ-ବିକାଶ ପାଇଁ କୌଣସି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତି କିମ୍ବା ଶୁଣନ୍ତି ସେମାନେ ମୋବାଇଲ୍ ବ୍ୟବହାରର ସୀମା ବିଷୟରେ ନିଶ୍ଚିତ ଭାବରେ କହିଛନ୍ତି ।ଅଫିସରେ କାମ କରିବା ହେଉ କି ଶୋଇବା ସମୟ ହେଉ କିମ୍ବା ସକାଳେ ଉଠିବା କିମ୍ବା ଗାଡି ଚଳାଇବା ହେଉ ଏମିତିକି ରାସ୍ତାରେ ଚାଲିବା ସମୟରେ କି ଗୋଟେ ସ୍ଥାନରେ କିଛି ସମୟ ଅପେକ୍ଷା ହେଉ ଆମେ ମୋବାଇଲ୍ ବ୍ୟବହାର ଛାଡି ପାରୁନାହୁଁ । ସେଥିପାଇଁ ଯେତେବେଳେ ଭଲ ସ୍ୱାସ୍ଥ୍ୟ ପାଇଁ ପର୍ୟ୍ୟାପ୍ତ ନିଦ ଦରକାର ବୋଲି କୁହାଯାଏ ସେବେ ଶୋଇବାର ଏକ ଘଣ୍ଟା ପୂର୍ବରୁ ମୋବାଇଲ୍ ବନ୍ଦ କରିବାକୁ ମଧ୍ୟ କୁହାଯାଏ ।ଯଦିଓ ଆପଣଙ୍କର ମୁଣ୍ଡ ବୁଲାଉଛି କି ଆଖି କିମ୍ବା କାନରେ ଯନ୍ତ୍ରଣା ଯୋଗୁଁ ଆପଣ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ତେବେ ଡାକ୍ତରଙ୍କ ପ୍ରଥମ ପ୍ରଶ୍ନ ‘ଦିନରେ ଆପଣ କେତେ ଘଣ୍ଟା ମୋବାଇଲ୍ ବ୍ୟବହାର କରନ୍ତି ।‘ ଧ୍ୟାନର ଅଭାବ କିମ୍ବା ଧ୍ୟାନର ଅବନତିର ସମସ୍ୟାର ମୂଳରେ ମଧ୍ୟ ମୋବାଇଲ୍ ଫୋନ୍ ପ୍ରାୟତ ଦୋଷୀ ବୋଲି ଜଣାପଡିଛି ।

ବିପଦ

ଅନାବଶ୍ୟକ ଭାବେ ସରଫିଙ୍ଗ କରିବା ଦ୍ଵାରା ସମୟର ଅପଚୟ ସହ ବେଳେବେଳେ ବିପଦପୂର୍ଣ ସାଇଟ ଦ୍ଵାରା ଭାଇରସ ଯୋଗୁଁ ଆର୍ଥିକ ଠକେଇରେ ପଡିବାର ସମ୍ଭାବନା ଥାଏ । ସାମାଜିକ ଗଣମାଧ୍ୟମରେ ଅଜଣା ଲୋକଙ୍କ ସହ ବନ୍ଧୁତା କରିବା ଯେତିକି ମଜାଦାର ସେତିକି ବିପଦପୂର୍ଣ ମଧ୍ୟ । ନଜାଣି ନଶୁଣି ଆମେ ଲୋକଙ୍କ ଫାସରେ ପଡ଼ିଥାଉ ଏବଂ ଅଜାଣତରେ ବିପଦକୁ ଠେଲି ହେଇଯାଉ । ରାସ୍ତାରେ ଚାଲୁଥିବା ସମୟରେ ଇୟରଫୋନ୍ ବ୍ୟବହାର ଯୋଗୁଁ ଆମକୁ ଯିବାଆସିବା କରୁଥିବା ଗାଡି ଶବ୍ଦ ଶୁଣିବାରେ ଅସୁବିଧା ହୋଇଥାଏ ଏବଂ ଦୁର୍ଘଟଣା ଘଟିବାର ସମ୍ଭାବନା ବହୁତ ବଢିଯାଇଥାଏ । ସେହିପରି ଅଫିସରେକାମ କରିବା ସମୟରେ ଇୟରଫୋନ୍ ବ୍ୟବହାର କାମ କରିବାର କ୍ଷମତାକୁ ହ୍ରାସ କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଆଜିକାଲି ପ୍ରାୟ ପିତାମାତା ମାନଙ୍କର ଅଭିଯୋଗ ଯେ ପିଲାମାନେ ମୋବାଇଲ ଯୋଗୁଁ ଠିକରେ ଉତ୍ତର ଦେଉନାହାନ୍ତି । ଆମକୁ ଏହାପରି ଅନେକ ସମସ୍ୟା ମୋବାଇଲ ଯୋଗୁ ସାମନା କରିବାକୁ ପଡୁଛି ।

କେମିତି ମୁକ୍ତି ପାଇବେ

ଏହାର ଉପଯୋଗ ବୁଝି ଏହାର ସଂତୁଳନ ରକ୍ଷା କରି ବ୍ୟବହାର କରିବା ପାଇଁ ଚେଷ୍ଟା କରିବା । ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ହିଁ ଚେଷ୍ଟା କରିବାକୁ ପଡ଼ିବ । ହଜେଇଦେଇଥିବା ପୁରୁଣା ରୁଚି ସବୁକୁ ଫେରେଇ ଆଣିବାକୁ ପଡ଼ିବ । ଯେପରି ଚିତ୍ର କରିବା , ବହି ପଢିବା ଉଦ୍ୟାନ କାମ କରିବା । ଏବଂ ସବୁଠୁ ବଡକଥା ହେଲା ନିଜ ପରିବାର ସହିତ ସମୟ ଦେଲାବେଳେ ମୋବାଇଲଠୁ ସମ୍ପୂର୍ଣ ଦୂରେଇ ରହିବ ।