ସତେଜ ପରିବା ସାଇତିବାର କେତେକ ସୂତ୍ର ଜାଣନ୍ତୁ

ସତେଜ ପରିବା ସାଇତିବାର କେତେକ ସୂତ୍ର ଜାଣନ୍ତୁ

ଖରାଦିନେ ପରିବା ସାଇତିବା ସବୁଠାରୁ ବଡ଼ ସମସ୍ୟା । ବ୍ୟସ୍ତତା ହେତୁ ଅନେକେ ସପ୍ତାହେ କିମ୍ବା ପନ୍ଦରଦିନ ଲାଗି ପରିବା କିଣି ଆଣନ୍ତି । ଏହାକୁ ଫ୍ରିଜ୍‌ରେ ରଖିଲେ ମଧ୍ୟ ତିନି- ଚାରିଦିନ ପରେ କେତେକ ପରିବା ନଷ୍ଟ ହେବା ଆରମ୍ଭ ହୁଏ । ତେଣୁ ପରିବା ସାଇତିବାର କେତେକ ସୂତ୍ର ଜାଣନ୍ତୁ-

ସବୁଜ ପତ୍ରଯୁକ୍ତ ପରିବା ସବୁବେଳେ ଥଣ୍ଡା ପାଣିରେ ଧୋଇ ସେଥିରୁ ଖରାପ ହୋଇଯାଇଥବା ପତ୍ର ବାହାର କରିଦେବା ପରେ ରଖିବେ । 

ଏହାକୁ ପାଣିରୁ ଛାଣି ଘର ଭିତରେ ଶୁଖାଇବା ପରେ କିଚେନ୍‌ ପେପରରେ ଗୁଡ଼ାଇ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଫ୍ରିଜ୍‌ରେ ରଖନ୍ତୁ । ଏଭଳି ପରିବା ଦିନେ ଦୁଇଦିନ ପାଇଁ କିଣିବା ଉଚିତ ।

ଟମାଟୋ ବା ବିଲାତି ଫ୍ରିଜ୍‌ରେ ନ ରଖି ସାଧାରଣ ଭାବେ ରଖାଯିବା ଉଚିତ । କାରଣ, ଥଣ୍ଡା ତାପମାତ୍ରାରେ ଏହାର ସ୍ୱାଦ ନଷ୍ଟ ହୋଇଯାଏ । ଏହାର ଡେମ୍ଫ ନ କାଟି ଏକ ପାତ୍ରରେ ଗୋଟିଏ ସଫା କପଡା ବିଛାଇ ସେଥିରେ ଗୋଟିଗୋଟି କରି ରଖିଦିଅନ୍ତୁ । ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବା ଏବଂ ଗରମ ହେଉଥିବା ସ୍ଥାନରେ ନରଖି ଥଣ୍ଡାଳିଆ ଜାଗାରେ ରଖନ୍ତୁ ।

ଛୋଟଛୋଟ କଣା ହୋଇଥିବା ଜିପର ବ୍ୟାଗରେ ପରିବା ରଖି ଫ୍ରିଜ୍‌ରେ ଏହାକୁ ରଖିଲେ ପରିବା ଅଧିକ ଦିନ ସତେଜ ରହିପାରିବ । ଏଥରେ ରହୁଥିବା ଫଳ ଓ ପରିବା ପର୍ଯ୍ୟାପ୍ତ ପବନ ଏବଂ ଆର୍ଦ୍ରତା ପାଇ ଦୀର୍ଘ ସମୟ ସତେଜ ରହିଥାଏ ।

ବିଭିନ୍ନ ରସାଳ ଫଳ ଯଥା, ଅଙ୍ଗୁର, ଷ୍ଟ୍ରବେରୀ, ଜାମୁକୋଳି ଆଦି ଉଷୁମ ପାଣିରେ ଧୋଇ ପୋଛିବା ପରେ ପାଣି ନିଗାଡି ଫ୍ରିଜ୍‌ରେ ରଖିପାରିବେ । କଦଳୀକୁ ଏୟାରଟାଇଟ୍‌ ପ୍ଲାଷ୍ଟିକ ବ୍ୟାଗରେ ଫ୍ରିଜ୍‌ରେ ଏହା ବେଶୀ ପାଚିବ ନାହିଁ କିମ୍ବା ଶୀଘ୍ର ଖରାପ ହେବନାହିଁ । 

ପିଆଜରୁ ଏକପ୍ରକାର ରସ ଏବଂ ଗନ୍ଧ ବାହାରେ ଯାହା ଅନ୍ୟ ପରିବାକୁ ଖରାପ କରିଦିଏ । ତେଣୁ ଏହାକୁ ଅନ୍ୟ ପରିବା ସହିତ ମିଶାଇ ରଖନ୍ତୁ ନାହିଁ । ରସୁଣକୁ ବି ଏକ ଅଲଗା ପ୍ଲାଷ୍ଟିକ ବ୍ୟାଗରେ ଅନ୍ଧାରୁଆ ଏବଂ ଥଣ୍ଡା ଜାଗାରେ ରଖିବେ ।