ପ୍ରଥମ କୋଭିଡ ଟିକାର ସଫଳ ପରୀକ୍ଷଣ ଦାବି କଲା ଚୀନ
ପ୍ରଥମ କୋଭିଡ ଟିକାର ସଫଳ ପରୀକ୍ଷଣ ଦାବି କଲା ଚୀନ
admin
May 11, 2020 - 11:41
Updated: May 11, 2020 - 11:41
ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ଚାଲିଥିବା ପ୍ରଚେଷ୍ଟାର ଅଂଶସ୍ୱରୂପ ଏହାର ଉତ୍ପତ୍ତିସ୍ଥଳ ଚୀନରେ ଆଶାର ସଞ୍ଚାର ହୋଇଛି । ଚୀନ ବୈଜ୍ଞାନିକମାନେ କରୋନା ଭୂତାଣୁ ପ୍ରତିରୋଧକାରୀ ଏକ ପ୍ରଜୁର୍ଯ୍ୟ ଟିକାର ସଫଳ ପରୀକ୍ଷଣ କରିପାରିଥିବା ଘୋଷଣା କରିଛନ୍ତି । ‘ପିକୋଭାକ୍’ ନାମକ ଦେଶର ଏହି କୋଭିଡ ପ୍ରତିରୋଧୀ । ପ୍ରଥମ ଟିକାକୁ ଚିକିତ୍ସା ବିଜ୍ଞାନୀମାନେ ଏକପ୍ରକାର ଭାରତୀୟ ପ୍ରଜାତିର ମାଙ୍କଡ (ରିଜସ ମାକାକ୍ସ)ଙ୍କ ଠାରେ ପ୍ରୟୋଗ କରି ଆଶାନୁରୂପ ସଫଳତା ପାଇପାରିଥିବା ଦାବି କରିଛନ୍ତି । ବେଜିଂ ସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ସିନୋଭାକ ବାୟୋଟିକ ଦ୍ୱାରା ପ୍ରସ୍ତୁତ ଏହି ଟିକା ଘାତକ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ମାନବଜାତିକୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି ।
ଏହି ‘ପିକୋଭାକ୍’ ର ପରୀକ୍ଷଣ ପାଇଁ ଉପରୋକ୍ତ ନିର୍ଦ୍ଦିଷ୍ଟ ଶ୍ରେଣୀର ମାଙ୍କଡଙ୍କ ଠାରେ ଏହାକୁ ପ୍ରୟୋଗ କରାଯିବା ସହିତ ସେମାନଙ୍କୁ ତିନି ସପ୍ତାହ ପରେ କରୋନା ଭୂତାଣୁ ସଂସ୍ପର୍ଶରେ ଅଣାଯାଇଥିଲା । ତେବେ ସମ୍ପୃକ୍ତ ମାଙ୍କଡ଼ଗୁଡ଼ିକ ଭୂତାଣୁ ପ୍ରତିରୋଧୀ ଶକ୍ତି ଆହରଣ କରିଥିବା ଜଣାପଡ଼ିଥିଲା । ଏପରିକି ମାଙ୍କଡଙ୍କ ଠାରେ ସୃଷ୍ଟି ଏହି ନୂତନ ରୋଗ ପ୍ରତିରୋଧ ଶକ୍ତି ଅନ୍ୟ ସାଧାରଣ ଭୂତାଣୁମାନଙ୍କ ବିରୋଧରେ ମଧ୍ୟ କାମ ଦେଇଥିବା ଦେଖାଯାଇଥିଲା । ସେହିପରି ଯେଉଁ ମାଙ୍କଡଙ୍କୁ ଅଧିକ ମାତ୍ରାର ‘ପିକୋଭାକ’ ଦିଆଯାଇଥିଲା, ସପ୍ତାହକ ପରେ ସେମାନଙ୍କ ଫୁସଫୁସରେ ମଧ୍ୟ କରୋନା ଭୂତାଣୁର ଚିହ୍ନବର୍ଣ୍ଣ ନଥିବ ଚିକିତ୍ସା ବିଜ୍ଞାନୀମାନେ ଲକ୍ଷ୍ୟ କରିଥିଲେ । ଅପରପକ୍ଷେ, ଉକ୍ତ ଟିକା ଗ୍ରହଣ ନ କରି କରୋନା ଭୂତାଣୁଙ୍କ ସଂସ୍ପର୍ଶରେ ଆସିଥିବା ମାଙ୍କଡ଼ ଗୁଡ଼ିକ ଭୀଷଣ ଭାବରେ ନିମୋନିଆ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ ଚୀନ ଗତ ଏପ୍ରିଲ ମଧ୍ୟ ଭାଗକୁ ହିଁ ଏହି ଟିକା ଉପରେ ପରୀକ୍ଷା ନିରୀକ୍ଷା ଚଳାଇ ଆସୁଥିଲା । ସେହିପରି ଚୀନ ସେନାବାହିନୀ ଦ୍ୱାରା ମଧ୍ୟ ଆଉ ଏକ ପ୍ରକାର ଟିକା ବିକାଶ କରାଯାଇ ମନୁଷ୍ୟ ଶରୀରରେ ତାହାର ନୈଦାନିକ ପରୀକ୍ଷଣ ଜାରି ରହିଛି ।