ସ୍କୁଲରେ ଧରାପଡ଼ିଲେ ବିଦା ହେବେ ମଦୁଆ ମାଷ୍ଟର
ସ୍କୁଲରେ ଧରାପଡ଼ିଲେ ବିଦା ହେବେ ମଦୁଆ ମାଷ୍ଟର
admin
Dec 6, 2019 - 06:43
Updated: Dec 6, 2019 - 06:43
ଭୁବନେଶ୍ୱର : ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ ବା ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଓସିଏସ୍ (ସିସିଏ ରୁଲସ୍) ୧୯୬୨ର ରୁଲ୍-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ । କୌଣସି ବି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତ ସହ ଖେଳୁଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବା ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଶା ସେବନ କରି ସ୍କୁଲକୁ ଆସିବା ସହ ପିଲାମାନଙ୍କୁ ଧାଡ଼ି କରି ଅଣ୍ଠେଇ ଦେଇଥିଲେ । ଏପରିକି ନିଶାସକ୍ତ ଅବସ୍ଥାରେ ପିଲାଙ୍କ ସହିତ ଫଟା ଉଠାଉଥିବା ଭିଡିଓ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏଥିସହ ଆଗକୁ ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ଦୃଷ୍ଟିକୁ ଆସେ, ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି ।
ନିୟମ ଅନୁଯାୟୀ କ୍ଲାସରୁମ୍ଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡିଂରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହିବେ, ସେଥିପ୍ରତି ଗୁରୁତ୍ୱ ଦେବା, କ୍ୟାମ୍ପସର ଶହେ ମିଟର ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି । କ୍ୟାମ୍ପସ୍ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ନେଇପାରିବେ । ଏଥିସହ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ନିଶାଦ୍ରବ୍ୟ ସେବନ ବାରଣ ନେଇ ସଚେତନତା ପୋଷ୍ଟର ଲଗାଇବାକୁ କୁହାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ନିୟମିତ ଭାବେ କ୍ୟାମ୍ପସକୁ ଗସ୍ତ କରି ପିଲାଙ୍କ ସାଙ୍ଗରେ ଶିକ୍ଷକଙ୍କ ବିଷୟରେ ଆଲୋଚନା କରିବେ । ହେଲପ୍ ଡେକ୍ସ ଖୋଲିବା, ଟୋଲ ଫି' ନମ୍ବର, କିଶୋର ମଞ୍ଚ, ବାଲସଭା ପରି କାର୍ଯ୍ୟକ୍ରମ କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବା ନଜରକୁ ଆସିଲେ ଆଇପିସିର ବିଭିନ୍ନ ଧାରା, ଅନୁସୂଚିତ ଜାତି ଓ ଜନଜାତି ଆଇନ, ମୌଳିକ ଅଧିକାର ଆଇନ ଓ ଶିଶୁଙ୍କ ଯୌନଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।
ସୂଚନା ଅନୁଯାୟୀ ଗତ ତିନି ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ବଢ଼ି ଚାଲିଛି । କେଉଁଠି ଶିକ୍ଷକମାନେ କ୍ୟାମ୍ପସକୁ ମଦ୍ୟପାନ କରି ଆସୁଛନ୍ତି ତ ଆଉ କେଉଁଠି ଶିକ୍ଷକଙ୍କ ଗାଡ଼ି ଡିକିରୁ ମଦ ବାହାରୁଛି । ୨୦୧୮-୧୯ ଶିକ୍ଷାବର୍ଷରେ ଏନେଇ ବାରମ୍ବାର ଅଭିଯୋଗ ଆସିଥିବାରୁ ଗତ ଜୁଲାଇ ମାସରେ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଥିଲା । ଏବେ ଯାଜପୁର ଜିଲ୍ଲାରେ ମଦ୍ୟପ ଶିକ୍ଷକଙ୍କ ଏଭଳି କାଣ୍ଡ ପରେ ବିଭାଗ ଆହୁରି କଠୋର ହୋଇଛି । ମନ୍ତ୍ରୀ ଶ୍ରୀ ଦାଶ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଭିଯୋଗ ଆସିବାର ୪ ଘଣ୍ଟା ଭିତରେ ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଗକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି ।