ପ୍ରଥମଥର ପାଇଁ ଝାରସୁଗୁଡ଼ାରୁ ଉଦ୍ଧାର ହେଲା ଫଷ୍ଟେନଙ୍କ କ୍ୟାଟ ସ୍ନେକ୍‌

ପ୍ରଥମଥର ପାଇଁ ଝାରସୁଗୁଡ଼ାରୁ ଉଦ୍ଧାର ହେଲା ଫଷ୍ଟେନଙ୍କ କ୍ୟାଟ ସ୍ନେକ୍‌

ଝାରସୁଗୁଡ଼ା : ଫର୍ଷ୍ଟେନଙ୍କ କ୍ୟାଟ୍‌ ସ୍ନେକ୍‌ ଏକ ଗଛରେ ବସବାସ କରୁଥିବା ସାପ । ଏହି ସାପ ଯଦିଓ ଓଡ଼ିଶାରେ କିଛି ଜିଲ୍ଲାରେ ଠାବ କରାଯାଇଥିଲା, ତେବେ ଝାରସୁଗୁଡ଼ା ଜିଲ୍ଲାରେ ଏହି ସାପ କେହି କେବେ ଦେଖିନଥିଲେ । ଓଡ଼ିଶାରେ ମାତ୍ର 10 ଟି ଜିଲ୍ଲାରୁ ଏହି ସାପ ଆଗରୁ ରେକର୍ଡ କରାଯାଇଥିବା ବେଳେ ପ୍ରଥମ କରି ଝାରସୁଗୁଡ଼ା ଜିଲ୍ଲାରୁ ଠାବ କରିଛନ୍ତି ଫାୟାର ମ୍ୟାନ ତଥା ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବବୁଲ ରାଉତ । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଅନ୍ତର୍ଗତ ବିଶି ପଲ୍ଲୀ ଗ୍ରାମର ଧିରୁ ଦୀକ୍ଷିତଙ୍କ ଘରୁ ଏକ 5 ଫୁଟ ଲମ୍ବର ଏକ ନାଲି ଭେରାଇଟି ଫର୍ଷ୍ଟେନଙ୍କ ଡାଳି ସାପ ଉଦ୍ଧାର କରିଛନ୍ତି ବବୁଲ ।

ସାପଟି ତାଙ୍କ ଘର ଭିତରେ ଝୁଲୁଥିବା ଫ୍ୟାନ ବିମ୍ ଉପରେ ରହିଥିବାବେଳେ ଧୀରୁ ଙ୍କ ପାଖରୁ ଖବର ପାଇ ବବୁଲ ରାତି 12 ଟା ସମୟ ରେ ସାପଟିକୁ ଉଦ୍ଧାର କରିଥିଲେ । ଯଦିଓ ସାପଟିକୁ ଏକ ଡାଳି ସାପ ବୋଲି ଚିହ୍ନି ପାରିଥିଲେ କିନ୍ତୁ, ଧରିବା ବେଳେ ଏହାକୁ ଫର୍ଷ୍ଟେନଙ୍କ ଡାଳି ସାପ ବୋଲି ଚିହ୍ନିବା କଷ୍ଟକର ଥିଲା । କାରଣ ଆଗରୁ ଝାରସୁଗୁଡା ରେ ଏହି ସାପ କେବେ ହେଲେ କେହି ଦେଖି ନଥିଲେ । ଏନେଇ ବବୁଲ କହିଛନ୍ତି "ଯେହେତୁ ଆଗରୁ କେହି ଝାରସୁଗୁଡ଼ା ଜିଲ୍ଲାରେ ଫର୍ଷ୍ଟେନଙ୍କ ଡାଳି ସାପ କେହି କେବେ ଉଦ୍ଧାର କରିନଥିଲେ, ମୁଁ ସାପ ର କିଛି ଫୋଟୋ ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇ ଥିଲି । ସେ ମଧ୍ୟ ଏଇ ସାପଟିକୁ ଫର୍ଷ୍ଟେନଙ୍କ କ୍ୟାଟ୍ ସ୍ନେକ୍ ବୋଲି ଚିହ୍ନଟ କରିବା ପରେ ମୋତେ ଖୁସି ଲାଗିଥିଲା" । ସାପଟିକୁ ବବୁଲ ହୀରାକୁଦ ଡ଼୍ୟାମ ନିକଟରେ ଥିବା ସୁନାରୀ ଜଙ୍ଗଲ ରେ ଛାଡ଼ି ଦେଇଛନ୍ତି । ସାଧାରଣତଃ ଓଡ଼ିଶାରେ ଫର୍ଷ୍ଟେନଙ୍କ ଡାଳି ସାପ ର କଳା ଏବଂ ନାଲି (ଇଟା) ରଙ୍ଗର ଦୁଇଟି ଅଲଗା ଭେରାଇତି ଦେଖା ଯାଇଥାନ୍ତି । 2009 ମସିହାରେ ରସିଆନ ଜର୍ଣ୍ଣାଲ ଅଫ ହରପେଟୋଲୋଜି ରେ ପ୍ରତ୍ୟୁଷ ମହାପାତ୍ର ଏବଂ ଅନ୍ୟମାନେ ଓଡ଼ିଶାର 10 ଜିଲ୍ଲାରୁ ଫର୍ଷ୍ଟେନଙ୍କ ଡାଳି ସାପ ରେକର୍ଡ କରିଥିଲେ । ସେଗୁଡିକ ହେଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନଗୁଳ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଏବଂ ନୂଆପଡ଼ା ଜିଲ୍ଲା । ବବୁଲ ଙ୍କ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ମଧ୍ୟ ଫର୍ଷ୍ଟେନଙ୍କ ଡାଳି ସାପ ଡିଷ୍ଟ୍ରିବ୍ୟୁସନ୍ ତାଲିକାରେ ଯୋଡ଼ି ହୋଇ ପାରିଲା ।

ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଫର୍ଷ୍ଟେନ ଙ୍କ ଡ଼ାଳି ସାପ ଏକ Mildly venomous ସାପ । ଏମାନଙ୍କ ବିଷ ଚଢ଼େଇ ବା ଏଣ୍ଡୁଅ ଆଦି ଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେବେ ମଣିଷଙ୍କ ପାଇଁ ଏହି ସାପର ବିଷ କିଛି ବିପଦଜନକ ପ୍ରଭାବ ପକାଇ ପାରି ନଥାଏ । ଏହା ଏକ ରାତ୍ରିଚର ସାପ ଯାହା ପ୍ରାୟ ସାଢେ଼ 7 ଫୁଟ ଲମ୍ବା ଯାଏଁ ବଢ଼ି ପାରନ୍ତି । ଏଣ୍ଡୁଅ, ପକ୍ଷୀ, କୁକୁଡ଼ା ଚିଆଁ, ପକ୍ଷୀ ମାନଙ୍କର ଅଣ୍ଡା, ବାଦୁଡ଼ି, ମୂଷା ଆଦି  ଶୀକାର କରି ଥାଆନ୍ତି । ଏଣୁ, ବବୁଲ ଉଦ୍ଧାର କରିଥିବା ସାପଟି ସମ୍ଭବତଃ ଖାଦ୍ୟକୁ ପିଛା କରି ଘର ଭିତରେ ପଶିଥିବା ସମ୍ଭାବନା" ।