‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସୋମବାର ସନ୍ଧ୍ୟାରେ ୫-ଟି ସଚିବ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି କାର୍ୟ୍ୟସ୍ଥଳୀ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ୟ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍‌ ଶୀଘ୍ର ଏହି କାର୍ୟ୍ୟ ଆରମ୍ଭ କରି ସଠିକ୍‌ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଏକାମ୍ର ପ୍ରକଳ୍ପ ୨୦୧୯ରେ ରୂପରେଖ ନେଇଥିଲା ଏବଂ ଗତ ଜୁନ ୨୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

‘ଏକାମ୍ର’ ପ୍ରକଳ୍ପରେ ପାର୍କିଂସ୍ଥଳୀ ସାଙ୍ଗକୁ ମନ୍ଦିରକୁ ଯାଇଥିବା ପ୍ରମୁଖ ରାସ୍ତାର ଚିତ୍ର ବଦଳିବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସବୁ ଭିତ୍ତିଭୂମୀ ବିକାଶ ହେବ ।ପ୍ରକଳ୍ପ ସମୀକ୍ଷା ପରେ ଶ୍ରୀ ପାଣ୍ଡିଆନ୍‌ କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ୟ୍ୟ ଆରମ୍ଭ କରିବାକୁ ସେ କହିଛନ୍ତି । ଏହି ଗସ୍ତ ସମୟରେ କାର୍ୟ୍ୟ ଦାୟିତ୍ୱରେ ଥିବା ଏଜେନ୍ସି ଦ୍ୱାରା ପ୍ରସ୍ତୁତ କାର୍ୟ୍ୟସୂଚୀ ସମୀକ୍ଷା କରିବା ପରେ ଶ୍ରୀ ପାଣ୍ଡିଆନ୍‌ ସମସ୍ତ ସବିଶେଷ ଡିଜାଇନ୍‌ ଚୂଡ଼ାନ୍ତ କରିବା ସହ ସାମଗ୍ରୀ ଏବଂ ଯନ୍ତ୍ରପାତି ଆଣି ତୁରନ୍ତ କାର୍ୟ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ତାଳେଶ୍ୱରରୁ କୋଟିତିର୍ଥେଶ୍ୱର ରାସ୍ତା, ସାନାଟାରିୟମ୍‌ ଛକରୁ ତାଳେଶ୍ୱର ପର୍ୟ୍ୟନ୍ତ ବକ୍ସ ଡ୍ରେନ୍‌ କାର୍ୟ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଉତ୍ତର ପାର୍କିଂ ଏବଂ ବାହ୍ୟ ପ୍ରବେଶ ରାସ୍ତାରେ କାର୍ୟ୍ୟ ସହ ପୂର୍ବଦ୍ୱାର ଛକ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ବ୍ୟବାହାର୍ୟ୍ୟ ପାଇଁ ଭିତ୍ତିଭୂମୀ ସହ ଲିଙ୍ଗରାଜ ପଛ ଓ ଦକ୍ଷିଣ ପଶ୍ଚିମ ପାର୍କିଂ କାର୍ୟ୍ୟ ମଧ୍ୟ ଆରମ୍ଭ କରିବାକୁ କୁହାଯାଇଛି । ଏହି କାର୍ୟ୍ୟ ସଠିକ୍‌ ସମୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି ।