‘ଓଡ଼ିଶାରେ ସରକାର ଗଢିବ ବିଜେପି’

‘ଓଡ଼ିଶାରେ ସରକାର ଗଢିବ ବିଜେପି’

‘ଓଡ଼ିଶାରେ ସରକାର ଗଢିବ ବିଜେପି’
ଭୁବନେଶ୍ୱର: ସେ ଦିନ ଆଉ ଦୂର ନୁହେଁ, ଯେବେ ବିଜେପି ଓଡ଼ିଶାରେ ସରକାର ଗଠନ କରିବ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହା କହିଛନ୍ତି । ଭର୍ଚୁଆଲ ସମାବେଶରେ ଶ୍ରୀ ନଡ୍ଡା କହିଛନ୍ତି ଯେ, କାର୍ଯ୍ୟକର୍ତ୍ତା ଆତ୍ମଚିନ୍ତନ କରି ଯୋଗ୍ୟତା ବଢାଇବା ଜରୁରୀ । କାର୍ଯ୍ୟକର୍ତ୍ତା ନିଜ ପ୍ରଭାବ ଓ ପରିପକ୍ୱତା ବଢାଇବା ଜରୁରୀ । ଯୋଗ୍ୟତା, ଉପଯୋଗିତା, ପ୍ରଭାବ ଓ ପରିପକ୍ୱ ଉପରେ ଚିନ୍ତନ ଜରୁରୀ । ଓଡ଼ିଶାରେ କର୍ମକର୍ତ୍ତାମାନେ ଦଳକୁ ଧୀରେ ଧୀରେ ଆଗକୁ ବଢାଇ ପାରିଛନ୍ତି । ଲମ୍ବା ଲଢେଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି । ସେ ଦିନ ଆଉ ଦୂର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର କରିବା । ୨୦୧୪ରେ ଆମକୁ ୨୧% ଓ ଲୋକସଭାରେ ୩୮% ଭୋଟ ମିଳିଛି । ଏହାକୁ ୫୦% ଉପରକୁ ନେବାକୁ ମନରେ ସଂକଳ୍ପ ନେବାକୁ ପଡ଼ିବ । ୫୦%ରୁ ଅଧିକ ଭୋଟ ନେବା ପାଇଁ ଆମ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ ବୋଲି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କହିଛନ୍ତି । ଏହାଛଡ଼ା ନଡ୍ଡା କହିଛନ୍ତି ଯେ, ସମୟୋପଯୋଗୀ ଲକଡାଉନ ଓ ନିର୍ଣ୍ଣୟ ଯୋଗୁଁ କରୋନାରେ ରୋକ ଲାଗିଛି । ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଯୋଗୁଁ ସଂକ୍ରମଣ ହ୍ରାସ କରାଯାଇପାରିଛି । ଏବେ ଦେଶରେ ଦୈନିକ ୧୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି । ଜୀବନ ସହ ଜୀବିକାକୁ ସାଥିରେ ଧରି ଚାଲିବାକୁ ଆହ୍ୱାନ ଦିଆଯାଉଛି । କେହି ଭୋକରେ ନରହିବାକୁ ନଭେମ୍ବର ଯାଏ ମାଗଣା ରାସନ ଦିଆଯାଉଛି । ୮ କୋଟି ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଉଥିବା କହି ଜେପି ନଡ୍ଡା ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଧାଇ ଜଣାଇଛନ୍ତି । ଏହାଛଡ଼ା ପିଏମ କିଷାନ ୨ୟ କିସ୍ତିରେ ୧୮ ହଜାର କୋଟି ଟଙ୍କା ଦିଆଯାଇଥିବା ସେ କହିଛନ୍ତି । ଏହା ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଲେ ଯେ, କରୋନା ପରିଚାଳନା ତ୍ରୁଟିକୁ ଦର୍ଶାଇଲେ ନାଲି ଆଖି ଦେଖାଯାଉଛି । ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦୁର୍ବ୍ୟବହାର କଥା ସମସ୍ତେ ଜାଣିଛନ୍ତି । ଗତକାଲି ଆମ ବାରିପଦା ବିଧାୟକଙ୍କୁ ପୁଲିସ ଥାନାକୁ ଧରି ଆଣିଲା । ଥାନାକୁ ନେଇ କୋର୍ଟ ଚାଲାଣ ପରେ ତାଙ୍କୁ ଜାମିନ ମିଳିଥିଲା । କୌଣସି ଅନ୍ୟାୟକୁ ବିଜେପି କର୍ମୀ ଆଦୌ ବରଦାସ୍ତ କରିବେନି । ରାଜ୍ୟ ସରକାରଙ୍କ ନାଲି ଆଖିକୁ ବିଜେପି କର୍ମୀ ଡରିବେ ନାହିଁ ବୋଲି ସମୀର ମହାନ୍ତି କହିଥିଲେ ।