୨୦୧୭ ଝଟକା ପାଇଁ ବ୍ଲକରେ ହେବ ଭୋଟ ଗଣତି

୨୦୧୭ ଝଟକା ପାଇଁ ବ୍ଲକରେ ହେବ ଭୋଟ ଗଣତି

୨୦୧୭ ଝଟକା ପାଇଁ ବ୍ଲକରେ ହେବ ଭୋଟ ଗଣତି

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି  । ଗତ ପଂଚାୟତ ନିର୍ବାଚନରେ ବିଜେପି ଠାରୁ ଶକ୍ତ ଧକ୍କା ପାଇଥିବା ବିଜେଡ଼ି ଏଥର ପୂର୍ବ ଭୁଲ ଦୋହରାଇବାକୁ ଚାହୁଁନାହିଁ  । ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ବ୍ଲକରେ ଭୋଟ ଗଣତି ପାଇଁ ନିଷ୍ପତି ନିଆଯାଇଛି  । ଅର୍ଥାତ ବିଗତ ନିର୍ବାଚନ ଭଳି ଆଉ ପଂଚାୟତରେ ଭୋଟ ଗଣତି କରାଯିବ ନାହିଁ କି ଭୋଟ ଫଳାଫଳ ସମ୍ପର୍କରେ ଘୋଷଣା କରାଯିବ ନାହିଁ  ।

୨୦୧୭ରେ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ଫେବୃଆରୀ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଫେବୃଆରୀ ୨୧ରେ ପଂଚମ ପର୍ଯ୍ୟାୟ ନିର୍ବାଚନ କରାଯାଇଥିଲା  । ତେବେ ଏହି ନିର୍ବାଚନରେ ବିଜେଡ଼ି ଯାହା ଆଶା କରିନଥିଲା ତାହା ହିଁ ଘଟିଲା  । ବିଜେପି ଜୋରଦାର ଝଟକା  ଦେଇ ରାଜ୍ୟର ଦ୍ୱିତୀୟ ବଡ଼ ଦଳ ଭାବେ ଉଭା ହେବା ସହ କଂଗ୍ରେସକୁ ବହୁ ପଛକୁ ଠେଲି ଦେଇଥିଲା  । ବିଜେପିର ଏହି ଆଶାତୀତ ଫଳାଫଳ ପରେପରେ ଆଗୁଆ ଭୋଟ ଗଣତି କାଳ ହେଲା ବୋଲି ବିଜେଡ଼ି ଅନୁଭବ କରିଥିଲା  । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡ଼ିର ହାଲୁକା ଶୁଖିଯାଇଥିଲା  । ବରଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଭଳି ଜିଲ୍ଲାରେ ବିଜେପି ଏକପାଖିଆ ବିଜୟ ହାସଲ କରିବା ସହ ବିଜେଡ଼ିକୁ ଝଟକା ଦେବାରେ ସମର୍ଥ ହୋଇଥିଲା  । ଯାହାର ପ୍ରଭାବ ପରବର୍ତୀ ପର୍ଯ୍ୟାୟ ନିର୍ବାଚନ ଉପରେ ପଡ଼ିଥିଲା  । କଂଗ୍ରେସର ଦୟନୀୟ ପ୍ରଦର୍ଶନ ତାଙ୍କର କର୍ମୀମାନଙ୍କୁ ନିରୁତ୍ସାହିତ କରିଥିଲା  । ତେଣୁ ବିଜେଡ଼ିକୁ ଝଟକା ଦେବା ପାଇଁ କଂଗ୍ରେସ ଭୋଟଗୁଡ଼ିକ ବିଜେପି ଆଡ଼କୁ ପଳାଇଥିଲା  । ବ୍ଲକ ଦଖଲ ଓ ସରଂପଚ ଜିତିବାରେ କଂଗ୍ରେସ ବିଜେପିକୁ ପଛରେ ପକାଇ ଦେଇଥିଲେବି ଜିଲ୍ଲା ପରିଷଦ କ୍ଷେତ୍ରରେ ବିଜେପି ଆଶାତୀତ ପ୍ରଦର୍ଶନ କରିଥିଲା  ।  ଏଥିରୁ ଏହା ସ୍ପଷ୍ଟ ଅନୁମେୟ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ବିଜେଡ଼ିକୁ ହରାଇବା ପାଇଁ ବିଜେପିକୁ ହିଁ ଭୋଟ ଦେଇଥିଲେ  । ସେହିପରି ଯେଉଁ ସବୁ ପଂଚାୟତ ନିର୍ବାଚନରେ ବିଜେଡ଼ି ବନାମ ବିଜେଡ଼ି ଲଢେ଼ଇ ଚାଲିଥିଲା ସେଠାରେ ବି ଗୋଟିଏ ଅଂଶ ଭୋଟ ବିଜେପି ଖାତାକୁ ଯାଇଥିଲା  । ବିଧାୟକମାନଙ୍କ ପତିଆରା କମାଇବା ପାଇଁ ସେମାନଙ୍କର ଦଳୀୟ ଶତ୍ରୁମାନେ ଏଭଳି ଏକ ଷଡ଼ଯନ୍ତ୍ରର ଅଂଶ ବିଶେଷ ପାଲଟି ଯାଇଥିଲେ  ।

୨୦୧୨ ପଂଚାୟତ ନିର୍ବାଚନରେ ବିଜେଡ଼ି ୬୫୪ ଜିଲ୍ଲା ପରିଷଦ ଆସନ ପାଇଥିବାବେଳେ କଂଗ୍ରେସ ୧୨୮ ଓ ବିଜେପି ୩୬ ଆସନ ପାଇଥିଲା  । କିନ୍ତୁ ୨୦୧୭ରେ ବିଜେଡ଼ି ୪୭୩ ଜିଲ୍ଲା ପରିଷଦ ଆସନରେ ବାଜିମାତ କରିଥିବାବେଳେ ବିଜେପିକୁ ୨୯୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା  । ଏହାକୁ ଆଖି ଆଗରେ ରଖି ଏବେ ଆଉ ବୁଥରେ ଭୋଟ ଗଣତି କରାନଯାଇ ବ୍ଲକରେ ଭୋଟ ଗଣତି ପାଇଁ ସରକାର ନିଷ୍ପତି ନେଇଛନ୍ତି  । ଯାହାଫଳରେ ନିର୍ବାଚନ ଶେଷ ହେବା ପରେହିଁ ଭୋଟ ଗଣତି କରାଯିବ  । ଯାହାଦ୍ୱାରାକି ନିର୍ବାଚନ ଫଳାଫଳର ପ୍ରଭାବ ଅନ୍ୟ ପର୍ଯ୍ୟାୟ ଉପରେ ପଡ଼ିବ ନାହିଁ  ।