୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପରୀକ୍ଷା

୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପରୀକ୍ଷା

୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପରୀକ୍ଷା
ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ମାର୍ଚ୍ଚ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏକକ ବାର୍ଷିକ ପରୀକ୍ଷା (ସମିଟିଭ୍‌-୨) ଅନୁଷ୍ଠିତ ହେବ । ବିଭିନ୍ନ ଶ୍ରେଣୀ ପାଇଁ ପ୍ରତିଦିନ ଅଲଗା ଅଲଗା ବିଷୟର ପରୀକ୍ଷା କରାଯିବ । ପରୀକ୍ଷାର ପ୍ରଥମ ଦିନ ମୁଖ୍ୟତଃ ପ୍ରଥମ ଓ ଦ୍ୱିତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଘଣ୍ଟା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି । ଷାଣ୍ମାସିକ ପରୀକ୍ଷା ପରି ବାର୍ଷିକ ପରୀକ୍ଷାରେ ବି ଏକକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଜିଲ୍ଲାସ୍ତରକୁ ପଠାଯିବ । ସେଠାରୁ ବ୍ଲକ ଓ ବିଦ୍ୟାଳୟକୁ ପ୍ରଶ୍ନପତ୍ରଗୁଡ଼ିକ ଯିବ । ପରୀକ୍ଷା ସରିବା କ୍ଷଣି ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରାଯିବ । କେଉଁ ପରୀକ୍ଷାର୍ଥୀଙ୍କର କେଉଁ ବିଷୟରେ କେତେ ମାର୍କ ରହିଛି ସେନେଇ ଅଭିଭାବକଙ୍କୁ ଏଥର ବି ରିପୋର୍ଟ ଦିଆଯିବ । ଯେହେତୁ ଏପ୍ରିଲ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି ତା\'ପୂର୍ବରୁ ଅଭିଭାବକଙ୍କୁ ପିଲାମାନଙ୍କ ମାର୍କ ସମ୍ପର୍କରେ ଅବଗତ କରାଯିବ । ଏଥିପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଶିକ୍ଷକ-ଅଭିଭାବକ ବୈଠକ ଡକାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବେ ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏଥର ବି ୫୨ ହଜାରରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୪୫ ଲକ୍ଷ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେବେ । ଏଥିପାଇଁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶ୍ନପତ୍ର ଓ ଉତ୍ତର ଖାତା ଛପାଇବା ପାଇଁ ଇତିମଧରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଷାଣ୍ମାସିକ ପରୀକ୍ଷାରେ ଯେଉଁଭଳି ଭାବେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ଏଥର ଯେମିତି ସେଭଳି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି)ମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି । ପରୀକ୍ଷା ପୂର୍ବରୁ ପ୍ରଧାନଶିକ୍ଷକ / ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏସବୁ ବିଷୟରେ ଅବଗତ କରାଯିବ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।