ଶ୍ରୀମନ୍ଦିର ଭିତରେ ଅଧିକ ସିସିଟିଭି ଓ ଲାଇଟ୍ ଲାଗିବ
ଶ୍ରୀମନ୍ଦିର ଭିତରେ ଅଧିକ ସିସିଟିଭି ଓ ଲାଇଟ୍ ଲାଗିବ
admin
Apr 27, 2019 - 05:22
Updated: Apr 27, 2019 - 05:22
ପୁରୀ : ଶ୍ରୀମନ୍ଦିର ଭିତରେ ବିଭିନ୍ନ ସମୟରେ ଛୋଟବଡ ଚୋରି ଘଟୁଥିବାରୁ ଏହାକୁ ଏଡ଼ାଇବା ନିମନ୍ତେ ଅଧିକ ସଂଖ୍ୟକ ସିସିଟିଭି ଓ ଅନ୍ଧାରୁଆ ଅଂଚଳରେ ଅଧିକ ଆଲୋକ ବ୍ୟବସ୍ଥା କରାଯିବ ବୋଲି ଶୁକ୍ରବାର ପୂର୍ବାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମଇ ୭ରେ ପବିତ୍ର ଅକ୍ଷୟତୃତୀୟ ଓ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଚନ୍ଦନଯାତ୍ରା ପାଇଁ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ପଂଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିବେ । ଶ୍ରୀକ୍ଷେତ୍ରର ବିଭିନ୍ନ ସାହିରୁ ପଂଚ ମହାଦେବ ଆସୁଥିବାରୁ ସେହି ଆସିବା ରାସ୍ତାଗୁଡିକ ମରାମତି କରାଯିବ । ବିମାନ ଆସୁଥିବା ସମୟରେ ରାସ୍ତାରେ ଝୁଲି ରହିଥିବା ବିଦ୍ୟୁତ ତାର ଲାଗୁଥିବାରୁ ସେଗୁଡିକ ଉପରକୁ ଟେକାଯିବା ପାଇଁ ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଆଜି ସବ୍ କମିଟି ବୈଠକରେ ଏ ସଂପର୍କରେ ମୁଖ୍ୟ ପ୍ରଶାସକ ପଂଚ ମହାଦେବଙ୍କ ପାଳିଆ ସେବକମାନଙ୍କ ସହ ଆଲୋଚନା କରିଥିଲେ । ଅକ୍ଷୟତୃତୀୟା ଦିନ ତିନିରଥ ନିର୍ମାଣ ସହ ଚନ୍ଦନଯାତ ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ପ୍ରାୟ ରଥକାଠ ରଥଖଳାରେ ପହଂଚି ଗଲାଣି । ଶ୍ରୀଗୁଣ୍ଡିଚା ମନ୍ଦିରରେ କୋଠଭୋଗଘର ଛାତରୁ ଗତବର୍ଷ ପାଣି ଗଳୁଥିବାରୁ ଏ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବା ସହ ଅଧିକ ଦୁଇଟି ଚୁଲା ବସାଯିବ । ଏ ସଂପର୍କରେ ସୁଆର ମହାସୁଆର ନିଯୋଗର କର୍ମକର୍ତାଙ୍କ ସହ ଆଲୋଚନା ହୋଇଛି । ରୋଷଘରେ ବାୟୁ ନିଷ୍କାସନ ପଙ୍ଖା ଲଗାଯିବ । ଶ୍ରୀମନ୍ଦିର ଉତର ଦ୍ୱାରଠାରୁ ନିର୍ମାଣ ହୋଇଥିବା ଦିବ୍ୟାଙ୍ଗ ରାସ୍ତା ଆନନ୍ଦବଜାର ଦେଇ ଯାଉଥିବାରୁ ତାହାକୁ କେତେକ ସେବାୟତ ବିରୋଧ କରୁଥିବାରୁ ସେ ସଂପର୍କରେ ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ । ଭିନ୍ନକ୍ଷମମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅଧିକାର ରହିଛି । ସୁଗମ ପଥ ଓ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହ୍ୟୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ସାତ ପାହାଚଠାରୁ ଭିନ୍ନକ୍ଷମମାନଙ୍କୁ ଟେକିକରି ନେଇ ଦର୍ଶନ କରାଇବା ବ୍ୟବସ୍ଥା ହୋଇଛି । ରାତିରେ ଶ୍ରୀମନ୍ଦିର ସୋଧ ସମୟରେ ଜେଟିପିଙ୍କ ସହ ସରକାରୀ ପୁଲିସ ରହିବେ । ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ଏସପି ଯାଂଚ୍ କରୁଛନ୍ତି ।
ଆଜି ଏହି ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସମେତ ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ଓ ସଂପୃକ୍ତ ଅଧିକାରୀ ଏବଂ ପଂଚ ମହାଦେବଙ୍କ ପାଳିଆ ସେବାୟତମାନେ ଉପସ୍ଥିତ ଥିଲେ ।