୨ରୁ ବର୍ଷା ଫେରିବ
୨ରୁ ବର୍ଷା ଫେରିବ
admin
Sep 30, 2019 - 11:11
Updated: Sep 30, 2019 - 11:11
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲେ ହେଁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନାହିଁ । ହେଲେ ୨ ତାରିଖରୁ ପୁଣି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝରରେ ବର୍ଷା ହେବ । ସେହିପରି ୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଲେ ବି କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ।
ଆଜି ବଲାଙ୍ଗୀରରେ ସର୍ବାଧିକ ୫୬.୪ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୦.୨ ମିମି, ସମ୍ବଲପୁରରେ ୧ ମିମି, ସୁନ୍ଦରଗଡ଼ରେ ୧୦.୪ମିମି, ହୀରାକୁଦରେ ୬ ମିମି, ଭବାନୀପାଟଣାରେ ୧୩ ମିମି, ଫୁଲବାଣୀରେ ୬.୨ ମିମି, ଦାରିଙ୍ଗବାଡ଼ିରେ ୫ ମିମି ବର୍ଷା ହୋଇଛି ।