ଜରିମାନାରେ ହେବନି କୋହଳ : ମନ୍ତ୍ରୀ

ଜରିମାନାରେ ହେବନି କୋହଳ : ମନ୍ତ୍ରୀ

ଜରିମାନାରେ ହେବନି କୋହଳ : ମନ୍ତ୍ରୀ
ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁଯାୟୀ ଗତ ୧ ତାରିଖ ଠାରୁ ସାରା ରାଜ୍ୟରେ ନୂତନ ଟ୍ରାଫିକ ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି । ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ତେବେ ଏହି ଟ୍ରାଫିକ ଜରିମାନା କୋହଳ ହେବନାହିଁ ବୋଲି ପରିବହନ ମନ୍ତ୍ରୀ ପୁଣି ଥରେ ଦୋହରାଇଛନ୍ତି । ତାଙ୍କ କହିବା ଅନୁଯାୟୀ କିଛି ରାଜ୍ୟ ଟ୍ରାଫିକ ଜରିମାନାକୁ କମ କରିଛନ୍ତି । କିନ୍ତୁ ଓଡ଼ିଶାରେ କମ ହେବନାହିଁ । ଟ୍ରାଫିକ ନିୟମକୁ ନେଇ ଧୀରେ ଧୀରେ ଲୋକେ ସଚେତନ ହେଉଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖ ଦିନ ସୁରକ୍ଷା ଓ ଟ୍ରାଫିକ ଜରିମାନା ନେଇ ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ଭୁଲ ଜରିମାନା କଟାଯାଉଥିବା ନେଇ ଆଲୋଚନା ହେବ ବୋଲ ପରିବହନ ମନ୍ତ୍ରୀ କହିଛନ୍ତି । ପ୍ରକାଶ ଯେ, ଡିସେମ୍ବର ପହିଲାରୁ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ତିନି ମାସ କୋହଳ କରିଛନ୍ତି । ଅର୍ଥାତ ଆଉ ତିନି ମାସ ପର୍ଯ୍ୟନ୍ତ ଆରଟିଓ ଯାଂଚ କରାଯିବ ନାହିଁ । ବିଶେଷକରି ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି କାଗଜପତ୍ର ଭଳି କେତେକ କାଗଜପତ୍ର ଯାଂଚ ହେବ ନାହିଁ । ତେବେ ମଦ ପିଇ ଗାଡ଼ି ଚାଳନା, ଦ୍ରୁତବେଗରେ ଗାଡ଼ି ଚାଳନା, ବାଇକରେ ୩ ଜଣ ବସି ଯା’ଆସ କରିବା, ଓଭର ଲୋଡ଼ିଂ, ନାଲୀ ବତୀକୁ ଅବମାନନା, ହେଲମେଟ ଓ ସିଟ ବେଲଟ ଆଦି ଯାଂଚ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ ।