ଶ୍ରୀମନ୍ଦିର ପ୍ରସଙ୍ଗରେ କମ୍ପିଲା ବିଧାନସଭା
ଶ୍ରୀମନ୍ଦିର ପ୍ରସଙ୍ଗରେ କମ୍ପିଲା ବିଧାନସଭା

ଭୁବନେଶ୍ୱର : ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ହେଉ। ଆମେ ସମସ୍ତେ ଏଇଆ ଚାହୁଁଛୁ । କିନ୍ତୁ ଏହାଯୋଗୁଁ ଶ୍ରୀମନ୍ଦିର କ୍ଷତିଗ୍ରସ୍ତ ନହେଉ । ଚତୁଃପାଶ୍ୱର୍ରେ ଖନନ ଯୋଗୁଁ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେଉଥିବା କଥା କୁହାଯାଉଛି । ଏଏସଆଇ ଏଥିପାଇଁ ଅନୁମତି ଦେଇନଥିବା କଥା ବି ଉଠୁଛି । ତେଣୁ ଗୃହ କମିଟି ଗଠନ କରାଯାଇ ଏହାର ଅନୁଧ୍ୟାନ କରାଯାଉ । ବିଧାନସଭାରେ ବିରୋଧୀ ବିଧାୟକମାନେ ଏହା କହିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରି ତୁମୁଳ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହ ଅଚଳ ହେବା ସହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
ବିଧାନସଭାର ଶୂନ୍ୟକାଳରେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଲେଯେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ହେଉ । ଏହାକୁ କେହି ମନା କରୁନାହାନ୍ତି । କିନ୍ତୁ ଖନନ ଯୋଗୁଁ ଯେଉଁ ଭାଇବ୍ରେସନ ହେଉଛି, ସେଥିପାଇଁ ମନ୍ଦିରରେ ଫାଟ ସୃଷ୍ଟିହେଉଛି । ଏଏସଆଇ ଓ ଏନଏମଏ ଏଥିପାଇଁ ଅନୁମତି ଦେଇନାହାନ୍ତି ବୋଲି କହିଛନ୍ତି । ତେଣୁ ବିଧାନସଭା କମିଟି ଗଠନ କରି ଅନୁଧ୍ୟାନ କରାଯାଉ । ଯଦି ମନ୍ଦିର ପାଇଁ ବିପଦ ସୃଷ୍ଟି ହୁଏ ତେବେ ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଜୟନ୍ତ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେଯେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ହେଉଥିବା ବିକାଶକୁ ସେ ଓ ତାଙ୍କ ଦଳ ସମର୍ଥନ କରୁଛି । କିନ୍ତୁ ବିକାଶ ନାମରେ ବିନାଶ ନହେଉ । ମନ୍ଦିର ପ୍ରତି ବିପଦ ରହିଥିବାରୁ ଗୃହ କମିଟି ଗଠନ କରି ଅନୁଧ୍ୟାନ କରିବା ଦରକାର । ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତର ରଖିବାକୁ ସେ ଦାବି କରିଥିଲେ । ବିଜେପି ବିଧାୟକ ଭାସ୍କର ମଢେ଼ଇ ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲେ । ପରେ ରୁଲିଂ ଦାବିରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ତୁମୁଳ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ଟା ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି ।