ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଡଜନେ ମନ୍ତ୍ରୀ ବିଦା ହେଲେ କାହିଁକି, ଜାଣନ୍ତୁ ପ୍ରକୃତ କାରଣ
ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଡଜନେ ମନ୍ତ୍ରୀ ବିଦା ହେଲେ କାହିଁକି, ଜାଣନ୍ତୁ ପ୍ରକୃତ କାରଣ
ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ସରକାରରୁ ଡଜନେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ହେଭିୱେଟ୍ ମନ୍ତ୍ରୀ ବି ରହିଛନ୍ତି । ମୁଖ୍ୟତଃ ଖରାପ ପ୍ରଦର୍ଶନ ଥିବା ଏବଂ ମୋଦୀ ବ୍ରାଣ୍ଡ ପ୍ରତି ଆଞ୍ଚ ପହଞ୍ଚାଇବା ମନ୍ତ୍ରୀମାନଙ୍କୁ ବାଦ ଦିଆଯାଇଛି । ବାଦ୍ ପଡ଼ିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଆଇନ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରମୁଖ ରହିଛନ୍ତି । ଦେଶରେ ପ୍ରଥମ ଲହର ପରେ ବିଜେପି କର୍ମୀ ଏବଂ ନେତୃବୃନ୍ଦ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ନେତୃତ୍ୱକୁ ଢେର ପ୍ରଶଂସା କରିଥିଲେ । କିନ୍ତୁ ଏହାପରେ ଦେଶରେ ଦ୍ୱିତୀୟ ଲହର ଆସି ବ୍ୟାପକ ଜୀବନହାନି କରିଲା । ସରକାର ଏଥିପାଇଁ ବଦନାମ ହେଲେ । ସେହିଭଳି ଟିକା ଅଭାବ ନେଇ ସରକାରଙ୍କୁ ଅନେକ ଅପବାଦ ମୁଣ୍ଡାଇବାକୁ ପଡ଼ିଲା । ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଲା ବୋଲି କୁହାଯାଉଛି । ରବି ଶଙ୍କର ପ୍ରସାଦ ମଧ୍ୟ ସମାନ କାରଣ ପାଇଁ ମନ୍ତ୍ରୀପଦ ହରାଇଛନ୍ତି । ଅଦାଲତରେ ଗତ କିଛି ମାସ ମଧ୍ୟରେ ସରକାରଙ୍କୁ ଅପଦସ୍ତ ହେବାକୁ ପଡ଼ିଛି । ଟିକା ସଂଗ୍ରହ ଠାରୁ ଆରମ୍ଭ କରି ଅକ୍ସିଜେନ୍ ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ମାମଲାରେ ସରକାର ସୁପ୍ରିମ କୋର୍ଟରେ ଝାଳନାଳ ହୋଇଥିଲେ । ସେହିଭଳି ପ୍ରକାଶ ଜାଭଡେକର ସରକାରଙ୍କର ପ୍ରଥମ ପ୍ରବକ୍ତା । ସୂଚନା ଓ ପ୍ରସାରଣ ମନ୍ତ୍ରୀଭାବେ ସରକାରଙ୍କୁ ଅସୁବିଧା ସମୟରେ ଯେଉଁଭଳି ଭାବେ ସୁରକ୍ଷା ଦେବା ଏବଂ ବିରୋଧୀଙ୍କ ସାମ୍ନା କରିବା କଥା ସେଥିରେ ବିଫଳ ହୋଇଛନ୍ତି । ଏଥିପାଇଁ ଜାଭଡେକରଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯାଇଛି । ସେହିଭଳି ମୋଦୀ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିବା ରମେଶ ପୋଖରିୟାଲଙ୍କୁ ମଧ୍ୟ ବିଦା କରାଯାଇଛି । କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ମଧ୍ୟ ମନ୍ତ୍ରିଭାବେ ସକ୍ରିୟ ନଥିଲେ । ତେଣୁ ତାଙ୍କୁ ହଟାଇ ଦିଆଯାଇଛି । ଉପରୋକ୍ତ ମନ୍ତ୍ରୀମାନଙ୍କ ସହିତ ଅନ୍ୟ ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଛି ସେମାନେ ହେଲେ ସନ୍ତୋଷ ଗଙ୍ଗୱାର, ବବୁଲ ସୁପ୍ରିୟୋ, ସଂଜୟ ଧୋତ୍ରେ, ରତନ ଲାଲ କଟାରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଦେବଶ୍ରୀ ଚୌଧୁରୀ ।




admin 