ବିଜେଡି ରାଜନୀତିରେ ଅନୁଭବଙ୍କୁ ଅଣଦେଖା, ବଢ଼ୁଛି ବର୍ଷାଙ୍କ କ୍ରେଜ୍
ବିଜେଡି ରାଜନୀତିରେ ଅନୁଭବଙ୍କୁ ଅଣଦେଖା, ବଢ଼ୁଛି ବର୍ଷାଙ୍କ କ୍ରେଜ୍
ଭୁବନେଶ୍ବର: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ଘମାଘୋଟ ପ୍ରଚାର କରାଯାଉଛି। ଦଳର ନେତା ଓ ମନ୍ତ୍ରୀମାନେ ଘରକୁ ଘର ବୁଲି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି। ଏପରିକି ସାଂସଦମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ଭୋଟରଙ୍କୁ ଭେଟି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି। ମାତ୍ର ଏପରି ସମୟରେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ନିର୍ବାଚନ ପ୍ରଚାରରେଦେଖିବାକୁ ମିଳୁନି। ତାଙ୍କୁ ବିଜେଡି ଏକ ପ୍ରକାର କଣଠେସା କରି ଦେଇଛି। କେହି ବି ତାଙ୍କୁ ପଚାରୁ ନାହାନ୍ତି। ପ୍ରଚାରରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଗୁରୁତ୍ବ ଦେବା ଆରମ୍ଭ କରିଛି। ବର୍ଷାଙ୍କୁ ବିଭିନ୍ନ ପ୍ରଚାର ଓ ସଭା ସମିତିରେ ଦେଖିବାକୁ ମିଳୁଛି। ଭଦ୍ରକ ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବର୍ଷା ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା।
୨୦୧୩ରେ ଅନୁଭବ ବିଜେଡିରେ ଯୋଗ ଦେଇଥିଲେ। ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଅନୁଭବଙ୍କ ଜୋର୍ଦାର ଲୋକପ୍ରିୟତା ଥିଲା। ତାଙ୍କ ଲୋକପ୍ରିୟତା ବିଜେଡି ପାଇଁ ଲାଭଦାୟକ ହେବ ବୋଲି ଦଳୀୟ ନେତାମାନେ ଆକଳନ କରିଥିଲେ। ସାରା ରାଜ୍ୟରେ ବିଜେଡିର ବିଭିନ୍ନ କାର୍ୟ୍ୟକ୍ରମରେ ଅନୁଭବଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଅନୁଭବ ପ୍ରାର୍ଥୀ ହେବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତାଙ୍କୁ ଅସନ୍ତୁଷ୍ଟ କରିବାକୁ ବି ଦଳୀୟ ନେତୃତ୍ବ ଚାହୁଁ ନ ଥିଲେ। ତେଣୁ ୨୦୧୪ ନିର୍ବାଚନରେ ଟିକେଟ୍ ବଣ୍ଟନ ସମୟରେ ଅନୁଭବଙ୍କୁ ଆଗାମୀ ଦିନରେ ବିଜେଡି ରାଜ୍ୟସଭାକୁ ପଠାଇବ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିର ତାରକା ପ୍ରଚାରକ ସାଜି ଅନୁଭବ ସାରା ରାଜ୍ୟରେ ପ୍ରଚାର କରିଥିଲେ। ୨୦୧୪ ଜୁନ୍ ମାସରେ ସେ ରାଜ୍ୟସଭାକୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ। ୨୦୧୯ରେ ଦଳ ତାଙ୍କୁ କେନ୍ଦ୍ରାପଡ଼ା ପରି ଏକ ସମ୍ବେଦନଶୀଳ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସେହି ସମୟରେ ବୈଜୟନ୍ତ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ କେନ୍ଦ୍ରାପଡ଼ା ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା। ଅନୁଭବ ମଧ୍ୟ ବହୁ ଭୋଟ୍ରେ ବିଜୟୀ ହୋଇଥିଲେ। ବୈଜୟନ୍ତଙ୍କୁ ହରାଇଥିବାରୁ ଦଳରେ ତାଙ୍କ ଗୁରୁତ୍ବ ଆହୁରି ବୃଦ୍ଧି ପାଇଥିଲା। ସେହି ବର୍ଷ ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଗଲା।
ଏହାର କିଛି ମାସ ପରେ ଅନୁଭବ ପାରିବାରିକ ବିବାଦରେ ଛନ୍ଦି ହୋଇଥିଲେ। ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୋଧରେ ପାରିବାରିକ ହିଂସା ଅଭିଯୋଗ ଆଣିଲେ। ଅନୁଭବ ମଧ୍ୟ ଛାଡ଼ପତ୍ର ମାମଲା ରୁଜୁ କଲେ। ଏହି ଘଟଣା ଅନୁଭବଙ୍କ ଭାବମୂର୍ତ୍ତିରେ ଆଞ୍ଚ୍ ଆଣିଲା। ଯେତେ ଶୀଘ୍ର ସେ ରାଜନୀତିରେ ଉପରକୁ ଉଠୁଥିଲେ, ସେତେ ଶୀଘ୍ର ତଳକୁ ତଳ ଖସିଚାଲିଲେ। ଦଳ ବି ଅନୁଭବଙ୍କୁ ଅଣଦେଖା କରିବା ଆରମ୍ଭ କଲଶ। ଦଳୀୟ କାର୍ୟ୍ୟକ୍ରମରେ ତାଙ୍କୁ ସାମିଲ କରାଗଲା ନାହିଁ। ଏପରିକି ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ାରେ ବି ବିଧାୟକମାନେ ଅନୁଭବଙ୍କ ଠାରୁ ନିରାପଦ ଦୂରତ୍ବରେ ରହିବାକୁ ଉଚିତ ମଣିଲେ। ୨୦୨୦ ଡିସେମ୍ବରରେ ଅନୁଭବଙ୍କୁ ଜାତୀୟ ମୁଖପାତ୍ରରୁ ମଧ୍ୟ ବାଦ୍ ଦିଆଗଲା। ଏବେ କେନ୍ଦ୍ରାପଡ଼ାର କୌଣସି ନିର୍ବାଚନ ପ୍ରଚାରରେ ଅନୁଭବଙ୍କୁ ଦେଖିବାକୁ ମିଳୁନି।
ଅନୁଭବଙ୍କୁ ବିଜେଡି ଦୂରେଇ ଦେଇଥିଲା ବେଳେ ଏବେ ବର୍ଷାଙ୍କୁ ଆପଣାଇନେବା ଚର୍ଚ୍ଚାର ବିଷୟ ପାଲଟିଛି। ଅନୁଭବ-ବର୍ଷା ବିବାଦ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ବିଜେଡି ବର୍ଷାଙ୍କୁ ସିଧାସଳଖ ଆଗକୁ ଆଣିଛି। ନିର୍ବାଚନ ପ୍ରଚାରରେ ବର୍ଷାଙ୍କ ଗ୍ରହଣୀୟତା ମଧ୍ୟ ଦେଖିବାକୁ ମିଳୁଛି। ଏହା ଦ୍ବାରା ସର୍ବସାଧାରଣରେ ବିଜେଡି ଦୁଇଟି ବାର୍ତ୍ତା ଦେବାକୁ ଚାହୁଁଥିବା କୁହାଯାଉଛି। ପ୍ରଥମତଃ ବ୍ୟକ୍ତିଗତ ଜୀବନରେ ବିବାଦରୁ ଊର୍ଧ୍ବରେ ନ ରହିଲେ ବିଜେଡିରେ ସ୍ଥାନ ନାହିଁ। ଦ୍ବିତୀୟରେ ବିଜେଡି ସବୁବେଳେ ମହିଳାଙ୍କ ସହ ଅଛି। ଆଗକୁ ବର୍ଷା ବିଜେଡିରେ କିପରି ନିଜ ସ୍ଥିତି ଜାହିର କରୁଛନ୍ତି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।




admin 