ବିଜେପି କିଛି ଜାଣିନି : ବିଜେଡି

ବିଜେପି କିଛି ଜାଣିନି : ବିଜେଡି

ଭୁବନେଶ୍ୱର: ଓଡ଼ିଶା ସରକାର ଗତ ଏପି୍ରଲ ମାସଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଡଧାରୀ ମାନଙ୍କୁ ଅଗ୍ରୀମ ଭାବେ ମାସକୁ ୫ କିଲୋ ଚାଉଳ ଓ ଏକ କିଲୋ ଡାଲି ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ୫ ମାସ ପାଇଁ ମାଗଣାରେ ଅନୁରୂପ ପରିମାଣ ଚାଉଳ ଓ ଡାଲି ଯୋଗାଇ ଦେବେ । ବିଜେପି ନେତାମାନେ ଏହା ଜାଣି ନାହାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେପି ସମ୍ବାଦିକ ସମ୍ମିଳନୀରେ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପି ନେତାମାନେ ପ୍ରକୃତ କଥା ନ ଜାଣି ଓଡ଼ିଶାବାସୀଙ୍କ ନିକଟରେ ମିଛ ତଥ୍ୟ ରଖିବା ସହିତ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । କେବଳ ମାଗଣା ଚାଉଳ କିମ୍ବା ଡାଲି ନୁହେଁ ଲକଡାଉନ ସମୟରେ ଓଡ଼ିଶା ସରକାର ୪୫,୬୦୦ ଷ୍ଟି୍ରଟ ଭେଣ୍ଡରଙ୍କୁ ୩୦୦୦ ଟଙ୍କା କରି ମୋଟ ୧୩ କୋଟି ୬୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଚନ୍ତି । ସେହିଭଳି ଲକଡାଉନ ସମୟରେ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଛି । କରୋନା ମୁକାବିଲା ସମୟରେ ଏହାକୁ ନେଇ ରାଜନୀତି କରିବା ବଦଳରେ ବିଜେପି ନେତାମାନେ ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ । ଦଳର ଆଚରଣରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପି ପାଇଁ ରାଜନୀତି ପ୍ରାଥମିକତା ହୋଇଥିବା ବେଳେ ଓଡ଼ିଶାବାସୀ ପଛ ହୋଇଯାଇଛନ୍ତି । ଦେଶର ପ୍ରତି ୩/୪ ଦିନରେ ଯେଭଳି କରୋନା ତାଲିକାରେ ଲକ୍ଷେ ପଜିଟିଭ ଯୋଡ଼ି ହୋଇଯାଇଛନ୍ତି ବିଜେପି ନିଶ୍ଚିତ ସେ ସଂକ୍ରାନ୍ତରେ ଅବଗତ ଥିବ । ତେଣୁ କରୋନା ମହାମାରୀ ସମୟରେ ଏଭଳି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।