ପୁତୁରାର ଟାଙ୍ଗିଆ ଚୋଟରେ ଯାଇଛି ଖୁଡ଼ୀର ଜୀବନ ।

ପୁତୁରାର ଟାଙ୍ଗିଆ ଚୋଟରେ ଯାଇଛି ଖୁଡ଼ୀର ଜୀବନ ।

ପୁତୁରାର ଟାଙ୍ଗିଆ ଚୋଟରେ ଯାଇଛି ଖୁଡ଼ୀର ଜୀବନ ।
ରିଆମାଳ : ପରିବା ଚାଷରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ । ପୁତୁରାର ଟାଙ୍ଗିଆ ଚୋଟରେ ଯାଇଛି ଖୁଡ଼ୀର ଜୀବନ । ଏମିତି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତିମୁର ଗ୍ରାମରେ । ଏପରି କାଣ୍ଡ ଘଟାଇବା ପରେ ହତ୍ୟାକାରୀ ପୁତୁରା ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ତିମୁର ଗ୍ରାମର ଅର୍ଜୁନ ସ୍ୱାଇଁଙ୍କ ପତ୍ନୀ ଗୁଆ ସ୍ୱାଇଁ । ହତ୍ୟାକାରୀ ପୁତୁରା ରଘୁ ସ୍ୱାଇଁଙ୍କ ପୁଅ ଲିଙ୍ଗରାଜ ଙ୍କୁ ପୁଲିସ ଥାନାରେ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ ଗୁଆ ପ୍ରତିଦିନ ପରି ସୋମବାର ସକାଳେ ବାରିରୁ ଶାଗ, ଧନିଆ ପତ୍ର ତୋଳି ବିକ୍ରି କରିବାକୁ ରିଆମାଳ ବଜାରକୁ ଯାଇଥିଲେ । ବଜାରରୁ ଫେରିବା ପରେ ସକାଳ ପ୍ରାୟ ୯ଟା ୩୦ ମିନିଟରେ ଲିଙ୍ଗରାଜ ବଗିଚାରେ ପାଣି ମଡ଼ାଇବାକୁ ନେଇ ତାଙ୍କ ସହିତ ଯୁକ୍ତିତର୍କ କରିଥିଲା । ଏପରିକି ତାଙ୍କୁ ଜୀବନରୁ ମାରି ଦେବ ବୋଲି ଧମକ ଦେଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଅଧିକ ବଢ଼ିଥିଲା । ଏଥିରେ ଲିଙ୍ଗରାଜ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଗୁଆଙ୍କ ବେକରେ ଚୋଟ ମାରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ ଲିଙ୍ଗରାଜ ରିଆମାଳ ଥାନାରେ ଆତ୍ମସମର୍ପଣ କରିଥିଲା । ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କେରକେଟା ପ୍ରକାଶ କରିଛନ୍ତି । ଖବରପାଇ ଦେବଗଡ଼ ଜିଲ୍ଲା ଏସପି ରାହୁଲ ଜୈନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରିଥିବା ଜଣାପଡ଼ିଛି ।